ଖେଳୁଥିବା ବେଳେ ବୋମା ଫୁଟିଲା, ୩ ନାବାଳିକା ଗୁରୁତର

ଭଦ୍ରକ/ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି। ବୋମ୍‌ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ ଗାଁର ୩ ଜଣ ନାବାଳିକା ସବିତା ମୁର୍ମୁ (୯), ପୂଜା ହାଁସଦା (୧୦) ବାସନ୍ତୀ ହାଁସଦା (୮) ତ୍ରିକୋଣା ଗାଁ ଛକ ନିକଟରେ ଖେଳୁଥିଲେ। ଏହି ସମୟରେ ରାସ୍ତା ନିକଟ ପୋଖରୀ ଭିତରେ ସେମାନେ ଏକ ପଲିଥିନ୍‌ ଭିତରେ କିଛି ଜିନିଷ ଥିବା ଦେଖିଥିଲେ। ଉତ୍ସୁକତା ଯୋଗୁ ତିନିଜଣ ଯାକ ପୋଖରୀ ଭିତରୁ ଉକ୍ତ ପଲିଥିନ୍‌ଟିକୁ ଆଣି ଖୋଲିବା ବେଳେ ତା’ ଭିତରୁ ଏକ ବୋମ୍‌ ପରି ଏକ ଜିନିଷ ଖସିପଡ଼ି ଫୁଟିଯାଇଥିଲା। ଫଳରେ ସବିତା, ପୂଜା ଓ ବାସନ୍ତୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ସଂଗେ ସଂଗେ ୧୦୮ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି। ତେବେ ପୋଖରୀ ଭିତରେ ବୋମ୍‌ କେଉଁଠୁ ଆସିଲା, ସେନେଇ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର