ଶ୍ରୀମନ୍ଦିରରେ ପଶି ୩ ଅଟକ

ପୁରୀ : ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଆଜି ୧୪୪ ଧାରା ଜାରି କରାଯାଇଥିଲା। ଏଭଳି ସ୍ଥିତିରେ ଆଜି ଶ୍ରୀମନ୍ଦିରରେ ପଶିଥିବା ତିନି ଜଣ ଭକ୍ତଙ୍କୁ ପୁଲିସ ଅଟକ ରଖିବା ପରେ ପଚରାଉଚରା କରି ଛାଡ଼ିଦେଇଛି। ତିନିଜଣ ହେଲେ କଟକ ଜିଲ୍ଲା ନେମାଳର ସୋମନାଥ ଦାସ, ହରପ୍ରସାଦ ପୃଷ୍ଟି ଓ ସରୋଜ ଶେଖର ସାହୁ। କିନ୍ତୁ ଏହି ବ୍ୟକ୍ତିମାନେ କଟକ ଜିଲ୍ଲା ସଦର ଉପଜିଲ୍ଲାପାଳଙ୍କ ଅନୁମତିପତ୍ର ନେଇ ଶ୍ରୀମନ୍ଦିରକୁ ମହାପ୍ରସାଦ ନେବାକୁ ଆସିଥିବା କହିଛନ୍ତି।

ଆଜି ମଧ୍ୟାହ୍ନରେ ଉପରୋକ୍ତ ତିନି ବ୍ୟକ୍ତି ଶ୍ରୀମନ୍ଦିରରେ ପ୍ରବେଶ ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ପଚରାଉଚରା ବେଳେ ଏହି ବ୍ୟକ୍ତିମାନେ ଉପଜିଲ୍ଲାପାଳଙ୍କ ଅନୁମତିପତ୍ର ଦେଖାଇଥିଲେ। ଉପଜିଲ୍ଲାପାଳଙ୍କ ଏହି ଅନୁମତିପତ୍ରରେ ଉଲ୍ଲେଖ ରହିଛି ଏହି ତିନିଜଣ ବ୍ୟକ୍ତି ନେମାଳ ପଦ୍ମବାନା ପୀଠରୁ ଆସିଥିଲେ। ପୀଠର ଶ୍ରୀଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଆଜି ଏକ କାର (ଓଡି-୦୫ଏଇ-୮୮୯୨)ରେ ତିନିଜଣ ମହାପ୍ରସାଦ ନେବାକୁ ଶ୍ରୀମନ୍ଦିର ଆସିଥିଲେ। ଏଥିପାଇଁ ଅନୁମତି ଦେବାକୁ ଉପଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ଇନର ବାରିକେଡ୍‌ ଭିତରକୁ ଛାଡ଼ିବାକୁ ଚିଠିରେ ଉଲ୍ଲେଖ ରହିଛି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ମେଲ୍‌ରେ ଚିଠି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର