ହକି ଖେଳି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ସ୍ୱପ୍ନ ଦେଖିଥିଲେ ହେମନ୍ତ-ସନ୍ଦୀପ-କ୍ରିଷ୍ଣା, ବସ ଚକାତଳେ ଚାଲିଗଲା ଜୀବନ

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା, ଗୁରୁତରଙ୍କ ପାଇଁ ଆତ୍ମୀୟ ଲୋକଙ୍କ ପ୍ରାର୍ଥନା

ଭୁବନେଶ୍ୱର: ହକିର ଏନ୍ତୁଡ଼ି ଶାଳ ସୁନ୍ଦରଗଡ଼ରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ହକି ଖେଳି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଆଶା ରଖିଥିବା ସୁନ୍ଦରଗଡ଼ ଜିଲ୍ଲାର ଲକ୍ଷ୍ମୀପୋଷ ଅଂଚଳରେ ଦଲକି ଗ୍ରାମର ହେମନ୍ତ ବାଡ଼ା, କ୍ରିଷ୍ଣା ପ୍ରଧାନ ଓ ସନ୍ଦୀପ ପ୍ରାଧନଙ୍କ ଆଶା ପୂରଣ ହେବା ପୂର୍ବରୁ ବସ୍‌ ଚକା ତଳେ ଜୀବନ ଯାଇଛି। ତିନି ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତକମାନକଙ୍କ ପରିବାରରେ ଲୋକାରଣ୍ୟ ଦେଖାଯାଇଛି।

ବାପା-ମାଁଙ୍କ ନାଁ ରଖିବା ତଥା ନିଜ ଗାଁ ମାଟିକୁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ଏମାନେ ହକି ଖେଳୁଥିଲେ। ହକି ଥିଲା ହେମନ୍ତ, କ୍ରିଷ୍ଣା ଓ ସନ୍ଦୀପଙ୍କ ଜୀବନ। ଯେକୌଣସି ପ୍ରକାରେ ସେମାନେ ସମୟ ବାହାର କରି ହକି ମ୍ୟାଚ୍‌ ଖେଳିବାକୁ ଯାଆନ୍ତି। ସୁନ୍ଦରଗଡ଼ରେ ବହୁ ସଂଖ୍ୟାରେ ହକି ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ନାଁ କରି ସାରିଥିବାରୁ ସେମାନେ ମଧ୍ୟ ଦିନେ ଏହି ତାଲିକାରେ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଥିଲେ।

ଏକ ଭଲ କ୍ୟାରିୟର ଗଢ଼ିବା ପାଇଁ ହେମନ୍ତ, କ୍ରିଷ୍ଣା ଓ ସନ୍ଦୀପ ଆଜି ଅପରାହ୍ନରେ ହକି ଖେଳିବାକୁ ନିଜ ଗାଁ ପାଖରେ ଥିବା ସାନବର୍ଷା ଗ୍ରାମକୁ ଯାଇଥିଲେ। ମ୍ୟାଚ୍‌ ଖେଳି ସେମାନେ ଗୋଟିଏ ସ୍କୁଟିରେ ଘରକୁ ଫେରୁଥିଲେ। ସାଥୀରେ ଥିଲେ ଅନ୍ୟ ଜଣେ ଖେଳାଳି ରବୀନ୍ଦ୍ର ରାଉତ। ରବୀନ୍ଦ୍ରଙ୍କୁ ଜାମବାହାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସଫଳ ଆରୋଗ୍ୟ ପାଇଁ ପରିବାର ଲୋକେ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

ଭାଗ୍ୟର ବିଡମ୍ବନା ବଡ଼ ବିଚିତ୍ର। ୧୦ ନମ୍ବର ରାଜ୍ୟ ରାଜପଥରେ ସାମ୍ନାରୁ ଆସୁଥିବା ବସ୍‌ ‘ପବନପୁତ୍ର’ ଧକ୍କା ଦେଇଥିଲା। ବସ୍‌ଟି ଏଭଳି ଧକ୍କା ଦେଇଥିଲା ଯେ, ଏହି ତିନି ଜଣ ଖେଳାଳି ବସ୍‌ ତଳେ ଫସି ଯାଇଥିଲେ। ପ୍ରାୟ ୩ ଘଣ୍ଟା ପରେ ମଧ୍ୟ ହେମନ୍ତ ଓ କ୍ରିଷ୍ଣାଙ୍କୁ ବାହାର କରାଯାଇ ପାରି ନାହିଁ। ଅନ୍ୟପକ୍ଷରେ ଘରଲୋକେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ।

ସମ୍ବନ୍ଧିତ ଖବର