ବେଗୁନିଆପଡ଼ା / ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ କୋଦଳା ଥାନା ଅନ୍ତର୍ଗତ ବେରୁହାଁବାଡ଼ି ଗ୍ରାମ ସିଂହଳସାହିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଗୋଟିଏ ପରିବାରର ୫ଜଣ ସମେତ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ୩ଟି ଘରର ଆଜବେଷ୍ଟସ୍‌ ଛାତ ଉଡ଼ିଯାଇଛି। ଏହିଘଟଣାରେ ଏକ ୨୮ଦିନର ଶିଶୁ ଅଳ୍ପକେ ରକ୍ଷା ପାଇଯାଇଛି। ବିସ୍ଫୋରଣର ପ୍ରକୃତ କାରଣ ପୁଲିସ ସ୍ପଷ୍ଟ କରିନାହିଁ।

Advertisment

ବେରୁହାଁବାଡ଼ି ଗ୍ରାମ ସିଂହଳସାହି ନିବାସୀ କୈଳାସ ବେହେରାଙ୍କ ଘରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। ଦିନ ପ୍ରାୟ ୧୧ଟା ବେଳେ ହଠାତ୍‌ ଘରେ ବିସ୍ଫୋରଣ ଘଟିଥିଲା। ଏଥିରେ ଘରର ଆଜବେଷ୍ଟସ୍‌ ଭାଙ୍ଗି ଉଡ଼ି ଯାଇଥିବା ବେଳେ ଜିନିଷପତ୍ର ଖିନ୍‌ଭିନ୍‌ ହୋଇ ଯାଇଥିଲା। ଘର କାନ୍ଥ ଫାଟି ଯାଇଥିବା ବେଳେ ଆସବାବପତ୍ରରେ ନିଆଁ ଲାଗି ଯାଇଥିଲା। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ସାହି ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ୭ଜଣ ଆହତଙ୍କୁ ଉଦ୍ଧାର କରି କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଏ ସମ୍ପର୍କରେ ଥାନା ଅଧିକାରୀ ମହାନ୍ତି କହିଛନ୍ତି, ଘରର ଜଣେ ଯୁବକଙ୍କ ବାହାଘର ପାଇଁ ସେମାନେ ବାଣ କିଣି ଘରେ ରଖିଥିଲେ। ସେଥିରେ କୌଣସି ମତେ ନିଆଁ ଲାଗିଯିବାରୁ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ବାହାଘର ବାଣରେ ଘର ଛାତ ଉଡ଼ିଯିବା ଘଟଣାକୁ ସାଧାରଣରେ ବିଶ୍ବାସ କରି ହେଉନାହିଁ। ଏଣୁ ପୁଲିସ ଏ ଦିଗରେ ଅଧିକ ତଦନ୍ତ କଲେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।