ସୁବାସୀ ଜଙ୍ଗଲରୁ ୩ ଶିକାରୀ ଗିରଫ, ୧୯ ବଜ୍ରକାପ୍ତା କାତି ସହ ବନ୍ଧୁକ ଜବତ

କଟକ/ଖୁଣ୍ଟୁଣୀ : ଆଠଗଡ଼ରେ ବନବିଭାଗ ପକ୍ଷରୁ ପୁଣି ଆରମ୍ଭ ହୋଇଛି ‘ଅପରେସନ୍‌ ପାଙ୍ଗୋଲିନ’‌। ଲକ୍‌ଡାଉନ୍‌ ସୁଯୋଗରେ ମାଫିଆମାନେ ବନ୍ଦଥିବା‌ ବେପାରକୁ ପୁଣିଥରେ ଆରମ୍ଭ କରୁଥିବା ଖବର ପାଇ ଆଠଗଡ଼ ବନବିଭାଗର ସ୍ବତନ୍ତ୍ର ଟିମ୍‌ ସୁବାସୀ ଜଙ୍ଗଲରୁ ୩ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୯ଟି ବଜ୍ରକାପ୍ତା କାତି ଓ ୨ଟି ଗୁଳିଭର୍ତ୍ତି ବନ୍ଧୁକ ଜବତ କରିଛି। ଜବତ‌ ବଜ୍ରକାପ୍ତା କାତିଗୁଡ଼ିକର ଲମ୍ବ ସାଢେ ୩ଇଞ୍ଚରୁ ୪ଇଞ୍ଚ ବୋଲି ବନବିଭାଗ ସୂଚନା ଦେଇଛି। ଗିରଫ ବ୍ୟକ୍ତିମାନେ ହେଲେ, ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ପାନିଆମା ଗ୍ରାମର ବାଗୁନ୍‌ ଲାଗୁରି(୪୮), ମୁଶୁଳିଆ ଗ୍ରାମର ମଙ୍ଗଲ ଦିଗି(୪୦) ଓ ଲାଲମୋହନ ଚାତାର(୫୫)।

ପୁଣିଥରେ ଚୋରା ବଜ୍ରକାପ୍ତା କାତି ବେପାର ଆରମ୍ଭ ହୋଇଥିବା ଖବର ପାଇ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ନେତୃତ୍ବରେ ବନବିଭାଗର ସ୍ବତନ୍ତ୍ର ସ୍କ୍ବାଡ ଦୁଇଦିନ ହେଲା ଅଭିଯାନ ଆରମ୍ଭ କରିଛି। ବନବିଭାଗର ସ୍କ୍ବାଡ ପଇଁତରା ମାରୁଥିବା ଜାଣି ମାଫିଆମାନେ ସୁବାସୀ ଜଙ୍ଗଲରେ ଲୁଚି ଯାଇଥିଲେ। ହେଲେ, ଆଜି ଭୋର ସମୟରେ ସେମାନଙ୍କ ଭିତରୁ ୩ଜଣଙ୍କୁ ବନବିଭାଗ ଗିରଫ କରିଛି। ରୢାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ବନବିଭାଗର ସ୍ବତନ୍ତ୍ର ଟିମ୍‌ ସେମାନଙ୍କୁ ପଚରାଉଚରା ଚଳାଇଛି। ଆସନ୍ତକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ।

ସୂଚନା ଅନୁସାରେ, କଟକର ନରାଜ ହିଁ ବଜ୍ରକାପ୍ତା ଚୋରାଚାଲାଣର ପେଣ୍ଠସ୍ଥଳୀ। ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ହେବା ପରେ ବେପାରୀ ନରାଜଠାରେ ପହଞ୍ଚନ୍ତି। ସେଠାରେ ଥିବା ଏକ ଚାଳଘରେ ବଜ୍ରକାପ୍ତାର ମୂଲଚାଲ ଓ ଟଙ୍କା ଦେଣନେଣ ହୋଇଥାଏ। ପୂର୍ବରୁ ବନବିଭାଗ ଦୁଇଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୂର୍ବରୁ ଗିରଫ ହୋଇଥିବା ମହମ୍ମଦ ରାଜ୍ୟ ବାହାରକୁ ଚୋରାଚାଲାଣ କରିବାରେ ପ୍ରମୁଖ ଭୂମିକା ନେଉଥିବା ବିଭାଗ ସୂଚନା ଦେଇଥିଲା। ବିଭିନ୍ନ ସାଙ୍କେତିକ ମୁଦ୍ରା, ଟଙ୍କା ବ୍ୟବହାର କରି ବେପାର ଚଳାଇ ଆସୁଥିବା ବେଳେ ଗିରଫ ମାଫିଆଙ୍କ ତଥ୍ୟକୁ ଆଧାର କରି ବନବିଭାଗ ଢେଙ୍କାନାଳ, ନୟାଗଡ, ବୌଦ୍ଧ ଜିଲ୍ଲାର କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି। ସନ୍ଦିଗ୍ଧ ତାଲିକାରେ କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କେତେଜଣ ଜଣାପଡିଛି। ବକ୍ସିବଜାର ଅଞ୍ଚଳର ମହମ୍ମଦ ଅଲ୍ଲୀ ବସ୍‌ ଓ ଟ୍ରେନ୍‌ରେ ବଜ୍ରକାପ୍ତା ଚାଲାଣ କରିବାରେ ମୁଖ୍ୟ ଭୂମିକା ନେଉଥିଲା। ସିଧାସଳଖ ଆଠଗଡ଼, ନରସିଂହପୁର, ନୟାଗଡ଼, ଢେଙ୍କାନାଳ, ବୌଦ୍ଧ ଓ ଅନ୍ୟାନ୍ୟ ଅଞ୍ଚଳରୁ ବେପାରୀ ଓ ମାଫିଆମାନେ ବଜ୍ରକାପ୍ତା ଆଣି ବକ୍ସିବଜାରରେ ମହମ୍ମଦକୁ ଦେଉଥିଲେ। ଅଲ୍ଲୀ ବଜ୍ରକାପ୍ତା ଓ କାତିସବୁକୁ ‌କଟକରୁ ଟ୍ରେନ୍‌ ଓ ବସ୍‌ରେ କୋଲ୍‌କାତା ଓ ପଶ୍ଚିମବଙ୍ଗର ଅଲ୍ଲୀ ତାର ବେପାର ଚଳାଇଥିଲା। ସେ ଅନଲାଇନ୍‌ରେ ବେପାର ସମ୍ପର୍କରେ ତାଲିମ୍‌ ମଧ୍ୟ ଦେଉଥିଲା।

ସମ୍ବନ୍ଧିତ ଖବର