ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ମୁଖ୍ୟରାସ୍ତାର ଜୋଡ଼ିଙ୍ଗା ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ସହ ଯାତ୍ରୀବାହୀ ଆଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଟୋ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ଜୋଡ଼ିଙ୍ଗା ମେଡିକାଲ୍ ଓ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସେମାନେ ସମସ୍ତେ ଛତିଶଗଡ଼ ଅନ୍ତର୍ଗତ ବୋରେଇ ଓ ନଗରୀ ଥାନା ଅଂଚଳର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଛତିଶଗଡ଼ ଅଂଚଳରୁ କିଛି ଲୋକ ଏକ ଅଟୋ (ଓଡି ୨୪ ଏଫ୍ ୬୫୮୨) ଯୋଗେ ବୋରେଇ ଠାରୁ ରାଇଘର ଧଡ଼୍ରାପାରାକୁ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ଜୋଡ଼ିଙ୍ଗା ନିକଟରେ ବିପରିତ ଦିଗରୁ ଏକ ଟ୍ରକ (ଓଡି ୧୦ ଡି ୯୩୩୨) ଦ୍ରୁତଗତିରେ ଆସି ଅଟୋକୁ ଧକ୍କା ହେବା ଫଳରେ ଆଟୋଟି ସମ୍ପୁର୍ଣ୍ଣ ଭାବେ ଚୂରମାର ହୋଇ ଯାଇଥିଲା। ଏଥିରେ ବସିଥିବା ମୋଟ ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଛତିଶଗଡ଼ ଅନ୍ତର୍ଗତ ନଗରୀ ଥାନା ଅଂଚଳର ଚନ୍ଦା ଗାୟକୱାଡ଼ (୪୫) ଏବଂ ବୋରେଇ ଥାନା ଅଂଚଳର ପବନ ଟଣ୍ଡନ୍ (୩୦) ଓ ପୁନମ୍ ବୈଷ୍ଣବ (୧୭)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅଟୋ ଡ୍ରାଇଭର ସମେତ ଆଉ ୫ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଜୋଡ଼ିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ ଉମରକୋଟ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଚିକିତ୍ସାଧିକାରୀ ଡଃ ଦଶରଥ ନାଗ ପ୍ରକାଶ କରିଛନ୍ତି। ଅନ୍ୟପଟେ ଖବର ପାଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।