ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଡ଼ପିଟ, ହତ୍ୟା ଧମକ ଘଟଣା: ୨ ମହିଳା ସମେତ ୩ ଗିରଫ

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଡ଼ପିଟ ହତ୍ୟା ଧମକ। ଏକ ଦୋକାନ ଘର ବିବାଦକୁ ନେଇ ଥାନାରେ ରୁଜୁ ମାମଲାରେ ଅଭିଯୁକ୍ତଙ୍କ ଘରକୁ ପୁଲିସ ଫୋର୍ସ ସହ ମାଜିଷ୍ଟ୍ରେଟ୍ ଯାଇଥିବା ବେଳେ ପରିବାର ଲୋକେ ଆକ୍ରମଣ କରିଥିଲେ। ସୁନ୍ଦରଗଡ଼ ଟାଉନଥାନା ବିଜୟା ଟକିଜ୍ ରୋଡରେ ଘଟିଥିବା ଘଟଣାଟି ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଫୋର୍ସ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ଆକ୍ରମଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ବିଜୟାଟକିଜ୍ ରୋଡ୍ର ଇନ୍ଦ୍ରମଣି ଖୁଣ୍ଟିଆଙ୍କ ଦୋକାନଘର ଭଡ଼ା ନେଇ ମନସୁର ଅଲ୍ଲୀ ନାମକ ଜଣେ ବ୍ୟକ୍ତି ସେଠାରେ ଚପଲ ଦୋକାନ ଦେଇଥିଲେ। କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ମନସୁର ଅଲ୍ଲୀ ଦୋକାନ ଖାଲି କରି ଅନ୍ୟତ୍ର ଯିବାକୁ ଚାହିଲେ। କିନ୍ତୁ ଇନ୍ଦ୍ରମଣିଙ୍କ ପରିବାର ଏଥିରେ ବାଧା ଦେବା ସହ ଦୋକାନରେ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ମନସୁର ଟାଉନଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଜୟାଟକିଜ୍ ରୋଡ୍କୁ ଯାଇ ଦୋକାନ ଖୋଲିବା ପାଇଁ ଇନ୍ଦ୍ରମଣିଙ୍କୁ ଚାବି ମାଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଇନ୍ଦ୍ରମଣି ଓ ତାଙ୍କ ପରିବାର ପୁଲିସକୁ ଧରାଛୁଆଁ ଦେଉ ନଥିଲେ। ଘଟଣାକ୍ରମରେ ଗୁରୁବାର ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦୋକାନ ତାଲା ଭାଙ୍ଗିବାକୁ ପୁଲିସ ନିଷ୍ପତ୍ତି ନେଇଥିଲା।

ସହକାରୀ ଜିଲ୍ଲାପାଳ ସାରିକାରାଣୀ ଧମେଲ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ଘଟଣାସ୍ଥଳକୁ ପୁଲିସ ଫୋର୍ସ ସହ ଯାଇଥିଲେ। ଠିକ୍ ଏହି ସମୟରେ ଇନ୍ଦ୍ରମଣି ଖୁଣ୍ଟିଆ ଓ ତାଙ୍କ ପରିବାରର ଦୁଇ ମହିଳା ସଦସ୍ୟ ରୁକ୍ମଣୀ ଖୁଣ୍ଟିଆ, ଜ୍ୟୋତି ଖୁଣ୍ଟିଆ ମାଜିଷ୍ଟ୍ରେଟ୍ ସାରିକାରାଣୀ ଧମେଲଙ୍କୁ ମାଡ଼ପିଟ କରିବା ସହ ହତ୍ୟା ଧମକ ଦେଇଥିଲେ। ପରେ ପୁଲିସ ଆକ୍ରମଣକାରରୀଙ୍କ କାବୁ କରି ନେଇଥିଲା। ଏ ସଂକ୍ରାନ୍ତରେ ମାଜିଷ୍ଟ୍ରେଟ୍ ଶ୍ରୀମତୀ ଧମେଲ ଟାଉନଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଇନ୍ଦ୍ରମଣି ଖୁଣ୍ଟିଆ, ରୁକ୍ମଣୀ ଓ ଜ୍ୟୋତିଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।

ସମ୍ବନ୍ଧିତ ଖବର