ସାମାନ୍ୟ ବଚସାରୁ ଖଣ୍ଡାରେ ଆକ୍ରମଣ; ୩ ଯୁବକ ଆହତ, ୧ ଗୁରୁତର

ସେମିଲିଗୁଡା: ବାଇକ ସ୍ପିଡ଼ ଚଳାଇବାକୁ କେନ୍ଦ୍ରକରି ହୋଇଥିବା ସାମାନ୍ୟ ବଚସାରୁ ପରବର୍ତ୍ତୀ ସମୟରେ ଗଣ୍ଡଗୋଳ ଘଟି ଖଣ୍ଡା ଚୋଟରେ ଆହତ ହୋଇଛନ୍ତି ୩ ଜଣ ଯୁବକ। ମିଳଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅଧିନସ୍ଥ କାକିଗାଁର ତିନିଜଣ ଯୁବକ କୌଣସି କାର୍ଯ୍ୟ ବଶତଃ ଶାନ୍ତି ନଗର ଆଡକୁ ଯାଉଥିବା ବେଳେ ଜୋରରେ ବାଇକ ଚଳାଇବାକୁ ନେଇ ପୁରୁଣା ସୁନାବେଡା ଗ୍ରାମର କାହ୍ନୁ ପାଙ୍ଗି, ବିପ୍ର ସମାରେଡି, ସାହିଲ ଖୋସଲା, ଶେଖର ହନ୍ତାଳ, ମୁକେଶ ସମାରେଡିଙ୍କ ସାଙ୍ଗେ ବଚସା ହୋଇଥିଲା। ଫଳରେ କାହ୍ନୁ ପାଖରେ ହଠାତ ରଖିଥିବା ଖଣ୍ଡାରେ କାକିଗାଁର ରୋହିତ କଣ୍ଟା, ହ୍ରିତିକ ଦୁରିଆ ଓ ହରିଶ କଣ୍ଟାଙ୍କୁ ଅତର୍କିତ ଆକ୍ରମଣ କରିବା ଯୋଗୁ ୩ ଯୁବକ ଖଣ୍ଡା ଚୋଟରେ ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବିକଳରେ ଦୌଡ଼ି ଦୌଡ଼ି ସୁନାବେଡା ୱାନ ଛକରେ ପହଞ୍ଚି ନିଜ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ପରେ ଗ୍ରାମବାସୀ ସେଠାରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି କୋରାପୁଟ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ହରିଶ କଣ୍ଟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣାକୁ ନେଇ କାକିଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପ୍ରାୟ ୨୦୦ ରୁ ଅଧିକ ଗ୍ରାମବାସୀ ସୁନାବେଡା ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ପୁଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ଗତକାଲି ରାତି ଠାରୁ ଥାନା ସମ୍ମୁଖରେ ବସି ରହିଛନ୍ତି। ଅଭିଯୁକ୍ତ ମାନଙ୍କ ମଧ୍ୟରୁ କେବଳ ବିପ୍ର ସମାରେଡିଙ୍କୁ ସୁନାବେଡା ପୁଲିସ ଅଟକ ରଖିଥିବା ବେଳେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ କାହ୍ନୁ ଓ ଅନ୍ୟ ମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ଖବର ଲେଖା ହେବା ପର୍ଯ୍ୟନ୍ତ କାକିଗାଁ ଗ୍ରାମବାସୀ ମାନେ ସୁନାବେଡା ଥାନା ଆଗରେ ବସିରହିଛନ୍ତି । ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ନଜର ରଖାଯାଇଛି ବୋଲି ସୁନାବେଡା ଥାନାଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର