ପାଇକସାହି : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଗତକାଲି ୩ ଜଣ ବ୍ୟକ୍ତିଙ୍କୁ ଶିକାରୀ ସଂଦେହରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେମାନେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସଂପର୍କରେ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ଠାକୁରଗଡ଼ ଥାନା କେଞ୍ଚୁଅନାଳି ଗାଁର ସୁଜୟ ଭୋଇ, ତେନ୍ତୁଳିପଥର ଗାଁର ଚିଲୁ ନାଏକ ଓ ଜରପଡା ଗାଁର ମୋହନ ସାହୁଙ୍କୁ ବନବିଭାଗ କର୍ମଚାରୀ ଗତକାଲି ଧଣ୍ଡାତୋପା ରେଂଜ କାର୍ଯ୍ୟାଳୟକୁ ନେଇ ଶିକାରୀ ସଂଦେହରେ ମାଡ଼ ମାରିଥିଲେ। ସେମାନଙ୍କୁ ଖାଇବାକୁ ଦେଇ ନଥିଲେ। ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ସେମାନଙ୍କୁ ଛାଡ଼ି ଦେଇଥିଲେ। ମାଡ଼ଖାଇ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଠମଲ୍ଲିକ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା। ସେଠାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମାମଲାର ଦଫାରଫା ପାଇଁ ବନ ବିଭାଗ ଚାପ ପକାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁଙ୍କୁ ପଚାରିବାରୁ ସେମାନଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ ନାହିଁ ବୋଲି କହି ପ୍ରସଙ୍ଗ ଏଡ଼ାଇଯାଇଥିଲେ। ତେବେ ଘଟଣା ସଂପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପନିଆଯିବ ବୋଲି ଆଠମଲ୍ଲିକ ଏସ୍ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/thakurgarh-ps.jpg)