ବଲାଙ୍ଗୀର : ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପାଟଣାଗଡ଼ ଥାନା ମାୟାବର୍ହା ଛକଠାରେ ଗୁରୁବାର ରାତି ୧୦ଟା ୨୦ରେ ଅଟକିଥିବା ଏକ କାର୍କୁ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇଛି। ଏଥିରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ପାଟଣାଗଡ଼ ପଟୁ ଖୁସିରାମ ମହାନନ୍ଦ ଏକ କାର୍ (ଓଡି ୨୭-୯୫୯୫) ଯୋଗେ ବଲାଙ୍ଗୀର ପଟକୁ ଆସୁଥିଲେ। ମାୟାବର୍ହା ଛକଠାରେ ରାସ୍ତାପାର୍ଶ୍ବରେ କାର୍ ଅଟକାଇ ବାହାରକୁ ବାହାରିଥିଲେ। କାର୍ ପଛପଟେ ଛିଡ଼ା ହୋଇ ଖୁସିରାମ ଫୋନ୍ରେ କଥା ଲାଗୁଥିଲେ। ପାଖରେ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଛିଡ଼ା ହୋଇଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଆମ୍ବୁଲାନ୍ସ (ଓଡି ୦୫ ଏପି ୫୦୧୧) ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ତିନି ଆହତଙ୍କୁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଖୁସିରାମଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।