ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳସ୍ଥିତ ସ୍କାନ୍‌ ଷ୍ଟିଲ୍‌ର ବୁଡ଼ାକଟା ୟୁନିଟ-୨ କାରଖାନାରେ ଏକ ବଡ଼ ଅଘଟଣ ଘଟିଛି। କାରଖାନାର ଚତୁର୍ଥ ଫ‌ର୍ଣ୍ଣେସ୍‌ରେ ବଡ଼ଧରଣର ବିସ୍ଫୋରଣ ହୋଇ ବିସ୍ଫୋରଣ ନିଆଁରେ ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ କାରଖାନା କର୍ମଚାରୀ ଉଦ୍ଧାର କରି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତମାନେ ହେଲେ, କ୍ରେନ ଚାଳକ ବାଲମକୁନ୍ଦ ସିଂ ଓ କର୍ମଚାରୀ ଟୁକୁନା ମଲ୍ଲିକ। ଅନ୍ୟ ଜଣଙ୍କର ନାମ ଜଣାପଡ଼ିନାହିଁ। କାରଖାନା କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିବାଭଳି ପଦକ୍ଷେପ ଗ୍ରହଣ କରିଥିବ‌ା ଦେଖିବାକୁ ମିଳିଛି। ଫଳରେ, ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। କାରଖାନାରେ ଅନ୍ୟ ରାଜ୍ୟର ଅନେକ ଶ୍ରମିକ କାମ କରୁ ଥିବାରୁ ତୁରନ୍ତ ସୂଚନା ମିଳି ପାରିନାହିଁ।

Advertisment

ଶୁକ୍ରବାର ସକାଳ ୯ଟାରେ ଏହି ବିସ୍ଫୋରଣ ହୋଇଥିଲ‌ା। ଏହି ବିସ୍ଫୋରଣ ଏତେ ଜୋର୍ ଓ ଭୟଙ୍କର ଥିଲା ଯେ ଆଖପାଖ ୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। ଲୋକେ ଭୟରେ ଥରି ଉଠିଥିଲେ। ଖବର ପାଇ କୁତ୍ରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜଣାପଡ଼ିଥିଲା ଯେ ସ୍କାନ୍‌ ଷ୍ଟିଲ୍‌ ବୁଡ଼ାକଟା ୟୁନିଟ-୨ରେ ଥିବା ୪ଟି ଫର୍ଣ୍ଣେସ୍‌ ମଧ୍ୟରୁ ଚତୁର୍ଥ ଫର୍ଣ୍ଣେସ୍‌ରେ ଲାଗିଥିବା କଏଲ ଅଚାନକ ଫାଟି ଯାଇଥିଲା। ପରେ ନିକଟରେ ଥିବା ପାଣି ପାଇପ ଫାଟି ଫ‌ର୍ଣ୍ଣେସ୍‌ରେ ପାଣି ପଶିଯିବା ପରେ ଏଥିରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ସେ ସମୟରେ ‌ଫର୍ଣ୍ଣେସ୍‌ ନିକଟରେ ୧୦ରୁ ଅଧିକ କର୍ମଚାରୀ ଓ ଶ୍ରମିକ କାମ କରୁଥିଲେ। ବି‌ସ୍ଫୋରଣର ନିଆଁ ଝୁଲ ୩ କର୍ମଚାରୀଙ୍କ ଉପରେ ପଡ଼ିଥିଲା। କ୍ରେନ୍‌ ଚାଳକ ବାଳମକୁନ୍ଦ ସିଂଙ୍କ ସର୍ବାଙ୍ଗ ଜଳି ଯାଇଥିଲା। ପରେ ୩ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଅନ୍ୟ ୭ କର୍ମଚାରୀଙ୍କ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କିଛି କହୁ ନାହାନ୍ତି। ଘଟଣା ପରେ କୁତ୍ରା ପୁଲିସ କାରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଛି।

ତେବେ, ଏହି କାରଖାନାରେ ଫର୍ଣ୍ଣେସ୍‌ ବିସ୍ଫୋରଣ ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଏକାଧିକ ଥର ବିସ୍ଫୋରଣ ହୋଇଛି। କିନ୍ତୁ କାରଖାନା କର୍ତ୍ତୃପକ୍ଷ ପୁରୁଣା ପାଇପ ଓ ଫର୍ଣ୍ଣେସ୍‌ ବଦଳ କରିବା ବା ଯନ୍ତ୍ରପାତିରେ ଥିବା ତ୍ରୁଟିବିଚ୍ୟୁଟି ସୁଧାରିବା ଉପରେ ନଜର ଦେଉନାହିଁ ବୋଲି ଅଭିଯୋଗ ହେଉଛି। ଫଳରେ ଅନେକ ସମୟରେ ଏପରି ବିସ୍ଫୋରଣ ଘଟି ନିରୀହ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ପ୍ରତି ବିପଦର କାରଣ ହେଉଛି। ଆହୁରି ଦୁର୍ଭାଗ୍ୟଜନକ କଥା ହେଉଛି, ପ୍ରଶାସନ ଅନେକ ସମୟରେ ଏପରି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବ‌ର୍ତ୍ତେ କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଚିଠି ଲେଖି ନିରବରେ ବସି ଯାଉଥିବାରୁ କାରଖାନା କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି।
ଉଲ୍ଲେଖଯୋଗ୍ୟ ଯେ ଏହି କାରଖାନା ବିରୋଧରେ ପ୍ରଦୂଷଣ ବାବଦରେ ମଧ୍ୟ ଅନେକ ବିଧିବଦ୍ଧ ଅଭିଯୋଗ ରହିଛି।