ଗ୍ୟାସ୍‌ ଟାଙ୍କି ଫାଟିବାରୁ ଭୟାବହ ଅଗ୍ନିକାଣ୍ତ; ୫ ପରିବାରର ୮ ବଖରା ଭସ୍ମୀଭୂତ, ନିଆଁରେ ପୋଡ଼ି ୩ ଗୁରୁତର

ତିହିଡ଼ି: ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ପୁରୁଣାବଜାରସ୍ଥିତ ସଂଖ୍ୟାଲଘୁ ବସ୍ତିରେ ଆଜି ଗ୍ୟାସ୍‌ ଟାଙ୍କି ଫାଟିବାରୁ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ୫ଟି ପରିବାରର ୮ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର ଦୁଇଟି ନିଆଁଲିଭା ଗାଡ଼ି ପାଖାପାଖି ୩ ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଛି।

ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ବସ୍ତିର ପ୍ୟାରା ସାହାଜୀଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ ଭୟଙ୍କର ଶଦ୍ଦ କରି ଗ୍ୟାସ୍‌ ଟାଙ୍କିଟି ଫାଟି ଯାଇଥିଲା। ବିସ୍ଫୋରଣ ଶଦ୍ଦରେ ପୂରା ବସ୍ତି ଥରି ଉଠିବା ସହ ଚାହୁଁଚାହୁଁ ପ୍ୟାରାଙ୍କ ଘର ଓ ପାଖ ପଡୋଶୀଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା। ଏହି ସମୟରେ ବର୍ଷା ଲାଗି ରହିଥିଲେ ମଧ୍ୟ ନିଆଁ ପ୍ରକୋପରେ ୫ ପରିବାରର ୮ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଗଦି ଦମକଳ କେନ୍ଦ୍ର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ କର୍ମଚାରୀ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ପ୍ରକୋପ ଆଗରେ ସମସ୍ତେ ହାର ମାନିଥିଲେ। ପରେ ତିହିଡ଼ି ଦମକଳ କେନ୍ଦ୍ର ଅଧିକାରୀ ଆଲୋକଦେବ ଗୋସ୍ବାମୀଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ୩ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ।

ଅଗ୍ନିକାଣ୍ତରେ ପ୍ୟାରା ସାହାଜୀ, ମୁଷିଦ ସାହାଜୀ, ଝଡ଼ିଆ ସାହାଜୀ, ହାକିମୁଦ୍ଦିନ୍‌ ଖାଁ, କିଶୋରୀ ସାହା, ଜୈରା ବିବିଙ୍କ ୮ ବଖରା ଘର ସହିତ ସମସ୍ତ ଆସବାବପତ୍ର, ଧାନଚାଉଳ ଆଦି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଆହତ ୩ ଜଣଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀରହାଟ ରାଜସ୍ବ ନିରୀକ୍ଷକ ମୀନକେତନ ଦାସ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ବିପନ୍ନ ପରିବାରକୁ ପଲିଥିନ୍‌ ଓ ସରକାରୀ ସହାୟତା ଯୋଗାଇ ଦେବା ଲାଗି ବସ୍ତି ବାସିନ୍ଦା ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର