ପଶ୍ଚିମା ଝଡ଼ର ପ୍ରଭାବ: ଏମ୍‌ପିଭି୪୧ରେ ବ୍ୟାପକ କ୍ଷୟକ୍ଷତି, କାନ୍ଥ ପଡ଼ି ୩ ଆହତ

କାଲିମେଳା: ପଶ୍ଚିମା ଝଡ଼ର ପ୍ରଭାବ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମପିଭି୪୧ ଗ୍ରାମରେ ୩୦ରୁ ଅଧିକ ଘର ଭାଙ୍ଗିଛି। ଏହି ଗାଁରେ କାନ୍ଥ ପଡ଼ି ୩ଜଣ ଲୋକ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ କାଲିମେଳା ତହସିଲଦାର ଚଇନୁ ଗଣ୍ଡ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି।

ସୂଚନା ଅନୁସାରେ ସମସ୍ତେ ନିଦରେ ଶୋଇଥିବା ବେଳେ ଝଡ଼ ଓ ବର୍ଷା ଅଚାନକ ମାଡି ଆସିଥିଲା। କେହି କିଛି ବୁଝିବା ଆଗରୁ ଘରରୁ ଟିଣ ଛପର ଉଡାଇ ନେଇଥିଲା। ବଡ଼ବଡ଼ ଗଛ ଉପୁଡି ପଡିଥିଲା। ମାଟିକାନ୍ଥ ଭୁଶୁଡି ପଡିଥିଲା। ଗାଁର ଅଭିଜିତ ମଣ୍ଡଳଙ୍କ ଘର ଉପରେ ବଡ଼ ଚାକୁଣ୍ଡା ଗଛ ଉପୁଡି ପଡ଼ିବାରୁ ଶୋଇଥିବା ତାଙ୍କ ପରିବାର ଭଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରିବାର ଲୋକେ ସିନା ବଂଚିଗଲେ ହେଲେ ଘର ସପୂର୍ଣ ଭଙ୍ଗିଯାଇଥିଲା। ସେହିପରି ସେହି ଗ୍ରାମର ସରୋଜିତ ମଣ୍ଡଳ, ଆରତୀ ମଣ୍ଡଳଙ୍କ ପରି ୩୦ରୁ ଊର୍ଧ୍ୱ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବାର ଜଣାପଡ଼ିଛି। ଘରକାନ୍ଥ ପଡି୪୦ ବର୍ଷୀୟ ମହିଳା ସୁଶୀଳା ମଣ୍ଡଳଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ୧୦ବର୍ଷର ନାବାଳିକା ଆରାଧ୍ୟା ମଣ୍ଡଳଙ୍କ ହାତ ଉପରେ ଆଜବେଷ୍ଟ ଖଣ୍ଡ ପଡି ଆହତ ହୋଇଛନ୍ତି।

ଏମପିଭି ୪୧ଗ୍ରାମରେ ଝଡ଼ ଓ ବର୍ଷା ଯୋଗୁଁ କ୍ଷୟକ୍ଷତିର ଖବର ପାଇ କାଲିମେଳା ତହସିଲଦାର ଚଇନୁ ଗଣ୍ଡ ଓ ରାଜସ୍ବ ନିରୀକ୍ଷକ ଉକ୍ତ ଗ୍ରାମରେ ପହଂଚିଛନ୍ତି। ସେମାନେ କ୍ଷୟକ୍ଷତିର ଆକଳନ କରିଥିବାର ଜଣାପଡିଛି। ୩୦ ରୁ ୩୫ ଜଣଙ୍କ ଘର ଏଥିଯୋଗୁ କ୍ଷତି ଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।  ତଥାପି ଆମ ଟିମ ସମ୍ପୂର୍ଣ ରିପୋର୍ଟ ଦେଲା ପରେ ପ୍ରକୃତ କ୍ଷୟକ୍ଷତି ଜଣା ପଡିବ ଓ ଆମେ ତୁରଂତ ପ୍ରଭାବିତ ପରିବାରକୁ ପଲିଥିନ ଦେବା ଆରମ୍ଭ କରିଛୁ  ବୋଲି ତହସିଲଦାର ଶ୍ରୀ ଗଣ୍ଡ କହିଛନ୍ତି।

ସମ୍ବନ୍ଧିତ ଖବର