ଧର୍ମଶାଳା : ଧର୍ମଶାଳା ଉ.ପ୍ରା ବିଦ୍ୟାଳୟ ନିକଟରେ ଆଜି ସକାଳେ ଏକ ପୁଲିସ୍‌ ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ଆହତମାନେ ହେଲେ ଅଭୟପୁର ପଞ୍ଚାୟତ ନୀଳାଦେଈପୁର ଗ୍ରାମର ଯଦୁନାଥ ରାଉତ(୪୯), ବାବନ ଚରଣ ରାଉତ(୫୦) ଓ ବିଭୁପ୍ରକାଶ ରାଉତ(୫୦)। ଧର୍ମଶାଳା ବଜାରରୁ ଏହି ବ୍ୟକ୍ତିମାନେ ଘରକୁ ଫେରୁଥିବା ବେଳେ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଶାଳା ଥାନାରେ ଲାଗିଥିବା ଏକ ବୋଲେରୋ କାର୍‌ ସେମାନଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ କିଛି ଦୂରକୁ ଛିଟିକି ପଡ଼ି ଆହତ ହୋଇଥିଲେ।

Advertisment

ଏହି ସମୟରେ ଉକ୍ତ ବୋଲେରୋରେ ଥିବା ଜଣେ ମହିଳା ପୁଲିସ୍‌ ଏସ୍‌ଆଇ ଆହତମାନଙ୍କୁ ଡାକ୍ତରଖାନା ନେବା ବଦଳରେ ହଜାରେ ଟଙ୍କା ଯାଚିଥିଲେ। ଆହତମାନେ ଟଙ୍କା ନନେବାରୁ ଉକ୍ତ ମହିଳା ଏସ୍‌ଆଇ ତରବରିଆଭାବେ ଘଟଣାସ୍ଥଳରୁ ଚାଲି ଯାଇଥିବା ଆହତମାନେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯଦୁନାଥ ଓ ବାବନଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ପୁଲିସ୍‌ ଆହତମାନଙ୍କୁ ସହାୟତା କରିବା ବଦଳରେ ଛାଡ଼ି ପଳାଇବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏନେଇ ଆହତ ଯଦୁନାଥଙ୍କ ପତ୍ନୀ ଗୀତାଞ୍ଜଳି ରାଉତ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଆହତମାନେ ଶ୍ରମଜୀବୀ ହୋଇଥିବାରୁ ସେମାନଙ୍କୁ କ୍ଷତିପୂରଣ ଓ ଚିକିତ୍ସା ଖର୍ଚ୍ଚ ଦେବାପାଇଁ ଦାବି ହୋଇଛି।