ଚମ୍ପୁଆ: ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦୁଝର ଜିଲ୍ଲା ରାଜନୀତି ରୋଚକ ହେବାରେ ଲାଗିଛି। ଜିଲ୍ଲାର ଖଣି ଅଞ୍ଚଳ ଚମ୍ପୁଆ ନିର୍ବାଚନମଣ୍ଡଳୀର ତିନି କ୍ଷମତା କେନ୍ଦ୍ର ସନାତନ ମହାକୁଡ଼, କୁଶ ଆପଟ ଓ ଧନୁର୍ଜୟ ସିଦୁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲି ନଥିବା ଜଣାପଡ଼ିଛି। ସାରା ଜିଲ୍ଲାରେ ନିଜର ପତିଆରା ସୃଷ୍ଟି କରିଥିବା ସନାତନ ମହାକୁଡ଼ ବିଜେଡି କର୍ମୀଙ୍କୁ ବିଶ୍ବାସକୁ ନନେଇ ନିଜ ସଂଗଠନ ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସାଂସଦ ପ୍ରାର୍ଥୀ ହୋଇଥିବା ଧନୁର୍ଜୟ ସିଦୁ ଯାଜପୁର ରୋଡ୍‌ରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ଧରି ଏବେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲୁଛନ୍ତି। ବିଜେଡି ଜିଲ୍ଲା ସଭାପତି କୁଶ ଆପଟଙ୍କୁ ଉଭୟ ସନାତନ ଓ ଧନୁର୍ଜୟ ଅଣଦେଖା କରୁଥିବାରୁ ପ୍ରଚାର ମୈଦାନରେ ସେ ବି ନଜରକୁ ଆସୁନାହାନ୍ତି। ନିଜ ନିଜର ପତିଆରା ପାଇଁ ତିନି ନେତା ଭାଗଭାଗ ହୋଇଯାଇଥିବାରୁ ଆଉ କେଉଁଠି ପ୍ରଭାବ ପଡୁ କି ନପଡୁ ସାଂସଦ ପ୍ରାର୍ଥୀଙ୍କ ଉପରେ ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Advertisment

୨୦୧୯ରେ ସନାତନଙ୍କ ସମର୍ଥନରେ ମୀନାକ୍ଷୀ ମହାନ୍ତ ବିଜେଡି ଟିକେଟରେ ବିଧାନସଭାକୁ ଯାଇଥିଲେ। ବିଧାୟିକା ହେବା ପରେ ମୀନାକ୍ଷୀ ସନାତନଙ୍କଠାରୁ ଦୂରେଇ ଯାଇଥିଲେ। ତେଣୁ ଏଥର ସନାତନ ଆଉ ପ୍ରାର୍ଥୀ ନଦେଇ ନିଜେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ବିଜେଡି ପ୍ରଥମେ ତାଙ୍କୁ ଟିକେଟ ଦେବାକୁ ଇଚ୍ଛୁକ ନଥିଲା। ସନାତନ ବିଜେପି ଆଡକୁ ଢଳିଥିଲେ। ଏଭଳି ସ୍ଥିତିରେ କୁଶ ଆପଟଙ୍କୁ ନବୀନ ନିବାସ ଡକାଯିବା ପରେ ଆଶା କରାଯାଉଥିଲା ବିଜେଡି ତାଙ୍କୁ ପ୍ରାର୍ଥୀ କରିବ। ଚମ୍ପୁଆରେ କୁଶଙ୍କ ପତିଆରା ବଢ଼ିବା ଆଶଙ୍କା କରି ସନା ବିଜେଡି ଟିକେଟ ହାତେଇବାରେ ସଫଳ ହେଲେ। ତେବେ ଟିକେଟ କଟିବା ପରେ ବିଧାୟିକା ମୀନାକ୍ଷୀ ମହାନ୍ତ ବିଜେଡିର କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। ତାଙ୍କର ସମର୍ଥକମାନେ ବିଜେପି ଆଡ଼କୁ ଢଳିଛନ୍ତି। ସନାତନ ଏବେ ନିଜ ସଂଗଠନକୁ ଧରି ନିର୍ବାଚନ ପ୍ରଚାର କରୁଛନ୍ତି। ସେହିପରି ତେଲକୋଇରୁ ବିଜେଡିର ବିଧାୟକ ପ୍ରାର୍ଥୀ ହେବାକୁ ଧନୁର୍ଜୟ ସିଦୁ ଆଶା ରଖିଥିଲେ। କିନ୍ତୁ ବାରମ୍ବାର ଦଳ ପରିବର୍ତ୍ତନ ଯୋଗୁଁ ବିଜେଡିର ତୃଣମୂଳସ୍ତରର କର୍ମୀମାନେ ତାଙ୍କୁ ତୀବ୍ର ବିରୋଧ କରିଥିଲେ। ଯାହାକୁ ନେଇ ବିଜେଡି ଶୀର୍ଷ ନେତୃତ୍ବ ଅଡ଼ୁଆରେ ପଡ଼ିଥିଲେ। ମାଧବ ସର୍ଦ୍ଦାରଙ୍କୁ ଦଳ ତେଲକୋଇର ବିଜେଡି ପ୍ରାର୍ଥୀ କରିବା ସହ ସିଦୁଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା। ହେଲେ ସାଂସଦ ପ୍ରାର୍ଥୀ ସିଦୁ ଓ ଚମ୍ପୁଆର ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନି। ଏପରିକି କିଛିଦିନ ତଳେ ଉଭୟଙ୍କର ଏକ ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରା ଅଧାରୁ ସିଦୁଙ୍କୁ ଦୂରେଇ ଦିଆଯାଇଥିଲା। ନିର୍ବାଚନ ଜିତିବା ପରେ ପତିଆରା କ୍ଷୁଣ୍ଣ ହେବା ଆଶଙ୍କାରେ ସନାତନଙ୍କ ସମର୍ଥକମାନେ ସିଦୁଙ୍କୁ ଗ୍ରହଣ କରୁନଥିବା କୁହାଯାଉଛି। ତେଣୁ ସିଦୁ ଜଣେ ପୂର୍ବତନ କଂଗ୍ରେସ ନେତା ତଥା ଯାଜପୁରରୋଡରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ଧରି ବିଭିନ୍ନ ନିର୍ବାଚନମଣ୍ଡଳୀ ଘୂରି ବୁଲୁଛନ୍ତି।

ସୂଚନାଯୋଗ୍ୟ ଯେ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନ ବୃଦ୍ଧିରେ କୁଶ ଆପଟ୍ଟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା। ୨୦୧୪ରେ ଓ ୨୦୧୯ ନିର୍ବାଚନ ସେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ। ୨୦୨୪ରେ ବିଜେଡି ତାଙ୍କ ପ୍ରତିଦ୍ବନ୍ଦ୍ବୀ ସନାତନ ମହାକୁଡ଼ଙ୍କୁ ଟିକେଟ ଦେଇ କୁଶଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ଥଇଥାନ କରିଛି। ଟିକେଟରୁ ବଞ୍ଚିତ ହେବା ପରେ କୁଶ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଅନ୍ୟପକ୍ଷରେ ସନାତନ ଟିକେଟ ପାଇବା ପରେ ତାଙ୍କ ସମର୍ଥକମାନେ ଶୋଭାଯାତ୍ରା କରି ଖୁସି ମନାଇଥିଲେ। ଏଥିରେ ଜିଲ୍ଲା ବିଜେଡି ସଭାପତି କୁଶ ଆପଟ କିମ୍ବା ତାଙ୍କ ସମର୍ଥକଙ୍କୁ ସାମିଲ କରାଯାଇ ନଥିଲା। ବିଜେଡି ଶୀର୍ଷ ନେତୃତ୍ବଙ୍କ ଦାଗିଦ ପରେ ସନାତନ ପରେ କୁଶ ଓ ତାଙ୍କ ସମର୍ଥକଙ୍କୁ ନିଜ ଚମ୍ପୁଆସ୍ଥିତ କାର୍ଯ୍ୟାଳୟକୁ ଡାକି ସମ୍ବର୍ଦ୍ଧିତ କରିଥିଲେ। ଏହାସତ୍ତ୍ବେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା କୁହାଯାଉଛି। କୁଶ ଆପଟ୍ଟ, ସନାତନ ମହାକୁଡ଼ ଓ ଧନୁର୍ଜୟ ସିଦୁ ଏମାନେ ସମସ୍ତେ ହେଉଛନ୍ତି ଗୋଟିଏ ନିର୍ବାଚନମଣ୍ଡଳୀର ଲୋକ। ଏହି ତିନି ନେତା ଯୋଡ଼ା ଖଣିମଣ୍ଡଳରେ ଖଣି, ଲୋଡିଂ ଓ ପରିବହନ ବ୍ୟବସାୟ ସହ ସଂପୃକ୍ତ। ତେଣୁ ଜଣେ ଆଗକୁ ବଢ଼ିଲେ ଅନ୍ୟର ପତିଆରା କମିବ। ଖଣି ଅଞ୍ଚଳର ଏହି ତିନି କ୍ଷମତାକେନ୍ଦ୍ର ମଧ୍ୟରେ ଚାଲିଥିବା ଭିତିରିଆ ଲଢ଼େଇ ପାଇଁ ଦଳକୁ କ୍ଷତି ହୋଇପାରେ ବୋଲି କୁହାଯାଉଛି।