ବଜ୍ରପାତରେ ତିନି ମୃତ

କୁତ୍ରା/ବାଲିଶଙ୍କରା/ ରାଇରଙ୍ଗପୁର: ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ହୋଇଛି।

କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତ ବେଲଡିହି ଗ୍ରାମରେ ଆଜି ଅପରାହ୍ନ ୨ଟାରେ ବଜ୍ରପାତ ଯୋଗୁଁ ଶିଶିର ଲାକଡ଼ା (୩୫)ଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ବର୍ଷା ହେବା ସମୟରେ ଶିଶିର ଏକ ବାଉଁଶ ବୁଦା ମୂଳେ ଆଶ୍ରୟ ନେଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଶିଶିର ସେଠାରେ ଟଳି ପଡ଼ିଥିଲେ।

ସେହିପରି ବାଲିଶଙ୍କରା ବ୍ଲକ କିଞ୍ଜିରକେଲା ଥାନା ଅନ୍ତର୍ଗତ କିଲିପିବନ୍ଧ ବଜାର ଦାଣ୍ଡରେ ଏକ ଗଛ ମୂଳେ ଅଙ୍କିତ କଚ୍ଛପ(୧୨) ଏବଂ ରୂପେଶ ଖଡ଼ିଆ(୧୦) ଖେଳୁଥିବା ବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ କିଞ୍ଜିରକେଲା ଡାକ୍ତରଖାନାକୁ ନିଆଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଙ୍କିତଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଟଙ୍ଗର ଗ୍ରାମର ଠେଲା ମାଝୀଙ୍କ ପୁଅ ସିଙ୍ଗରାୟ(୧୫)ଙ୍କର ବଜ୍ରଘାତରେ ମୃତ୍ୟୁ ଘଟିଛି। ସିଙ୍ଗରାୟ ନବମ ଶ୍ରେଣୀରେ ପଢ଼ୁଥିଲେ। ଅପରାହ୍ନରେ ତାଙ୍କ ସାଙ୍ଗ ଶିଙ୍ଗ ମାଝୀଙ୍କ ପୁଅ ଫୁଦାନ ସହ ଘର ପିଣ୍ଡାରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିଲେ। ଏତିକିବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ଚେତାଶୂନ୍ୟ ଅବସ୍ଥାରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସିଙ୍ଗରାୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର