ସୋର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ପଂଚାୟତ ବରପଦା ଗାଁରେ ୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନନଙ୍କର ମୃତଦେହ ପାହାଡ଼ ଉପରୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରେ ଦଂପତି ଦାମ୍ପା ସିଂ, ତାଙ୍କର ସ୍ତ୍ରୀ ଜାଲିଆ ସିଂହ ଓ ସମ୍ବାରି ସିଂ ଅଛନ୍ତି।
ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଗୁଣିଗାରେଡ଼ିକୁ ନେଇ ଜଣେ ଯୁବକକୁ ଗାଁ ଲୋକେ ସନ୍ଦେହ କରିଥିଲେ। ଜଣେ ମହିଳା ବଣକୁ କାଠ ସଂଗ୍ରହ କରିବାକୁ ଯାଉଥିବା ବେଳେ କୌଣସି କାରଣରୁ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା। ଫଳରେ ଗ୍ରାମବାସୀମାନେ ମହିଳା ଜଣଙ୍କ ଗୁଣିଗାରେଡ଼ି କରୁଥିବାରୁ ତାଙ୍କର ଆଖି ଫୁଟିଯାଇଥିବା ସନ୍ଦେହ କରିଥିଲେ। ଗତ ରବିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଜଣଙ୍କର ଜନ୍ମଦିନ ଥିବାରୁ ଭୋଜିଭାତର ଆସର ଜମିଥିଲା। ଏହି ଭୋଜିକୁ ଦାମ୍ପା ସିଂ ମଧ୍ୟ ଯାଇଥିଲେ। ତେବେ ଏଠାରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଲା ଯେ କିଛି ଯୁବକ ମିଶି ଦାମ୍ପା ସିଂକୁ ପିଟିପିଟି ହତ୍ୟା କରିଥିଲେ। ଅନ୍ୟ ଜଣେ ମହିଳା ସମ୍ବାରି ସିଂ ଏହାର ପ୍ରତିବାଦ କରିବା ସହିତ ଅନ୍ୟ ଲୋକମାନଙ୍କୁ କହିଦେବେ ବୋଲି କହିଥିଲେ। ତେଣୁ ଉକ୍ତ ଯୁବକମାନେ ତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ। ଏଥି ସହ ଦାମ୍ପା ସିଂଙ୍କ ପତ୍ନୀ ଜାଲିଆ ସିଂ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ପରେ ଗାଁରେ ଏକ ବୈଠକ ହୋଇଥିଲା।
ତେବେ ଏହି ଘଟଣାକୁ କେହି କାହା ଆଗରେ ପ୍ରକାଶ କରିବେ ନାହିଁ ବୋଲି ଶପଥ ନେଇଥିଲେ ଏବଂ ମୃତଦେହଗୁଡ଼ିକୁ ନେଇ ନିକଟସ୍ଥ ପାହାଡ଼ ଉପରେ ଫିଙ୍ଗିଦେଇଥିଲେ। ପରେ ସମ୍ବାରି ସିଂ ପୁଅ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ତାଙ୍କ ମାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ତାଙ୍କ ମା’ଙ୍କ ସହିତ ଅନ୍ୟ ଦୁଇଜଣ ରବିବାର ରାତିରୁ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ପରେ ଆଜି ଔପଦା ଥନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସଦଳବଳେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗାଁ ୬ ଜଣ ଯୁବକଙ୍କୁ ଅଟକ ରଖିଛି। ୪ ଯୁବକ ହତ୍ୟା କରି ଫିଙ୍ଗିଥିବା ସ୍ବୀକାର କରିଛନ୍ତି। ପୁଲିସ ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତକୁ ଆଣି ସ୍ଥାନ ଚିହ୍ନଟ କରିବା ସହିତ ମୃତଦେହକୁ ଉଦ୍ଧାର କରିଛି। ପାହାଡ଼ିଆ ଅଂଚଳ ହୋଇଥିବାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶବଗୁଡ଼ିକୁ ସ୍ଥଳଭାଗକୁ ଅଣାଯାଇ ପାରିନାହିଁ। ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳରେ ସମ୍ଭବତଃ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ତେଣୁ ଏହି ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ହେଉଛି।