କାର୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା: ଇନ୍‌ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ଛାଡ଼ିଲା ପୁଲିସ

ସୋନପୁର/ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ଖାରି ନିକଟ ବଡ଼ବାହାଲି ଛକରେ ମଙ୍ଗଳବାର ସକାଳେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୋନପୁର ପଟରୁ ଆସୁଥିବା ଏକ ଏର୍ଟିଗା କାର୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଅଟୋ ଏବଂ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌ଟି ମହିଳା ଇନ୍‌ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାମରେ ଥିବା ବେଳେ ସେ ଉକ୍ତ କାରରେ ଯାତ୍ରା କରୁଥିଲେ।

ଘଟଣାସ୍ଥଳରୁ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ନ କରି ନିଜେ ଇନ୍‌ସପେକ୍ଟର ସ୍ନିଗ୍ଧାରାଣୀ ଓ ଚାଳକ ଅଜୟ ଜେଠୀ ତଥା ଏର୍ଟିଗାରେ ଥିବା ଅନ୍ୟ ଯାତ୍ରୀମାନେ ଘଟଣାସ୍ଥଳରୁ ଖସି ଯାଇଥିଲେ। ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ସୋନପୁର ପୁଲିସ ତଦନ୍ତ କରୁଥିଲା। ଏହି ଘଟଣାରେ ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗୀର ହାତୀଶାଳପଡ଼ାରୁ ଇନ୍‌ସପେକ୍ଟର ସ୍ନିଗ୍ଧାରାଣୀ ଏବଂ ଚାଳକ ଅଜୟକୁ ଧରି ତରଭା ଥାନାକୁ ଆଣିଥିଲା। ତେବେ ଚାଳକ ଅଜୟକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଇନ୍‌ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ପଚରାଉଚୁରା ପରେ ଛାଡ଼ି ଦିଆଯାଇଥିବା ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର