ଅଧୁରା ରହିଲା ତାରିଣୀ ଦର୍ଶନ : ଟ୍ରଲର ଚକା ତଳେ ଗଲା ତିନି ଜୀବନ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ କୋଳିମାଟିଠାରେ ଅଧାଗଢା ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଯାଇଛି ତିନୋଟି ମୂଲ୍ୟବାନ ଜୀବନ। ମକର ସଂକ୍ରାନ୍ତିରେ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ଟ୍ରଲର ଚଢିଯିବାରୁ ବାଇକ୍‌ରେ ଥିବା ଦମ୍ପତ୍ତି ଓ ତାଙ୍କ ଶିଶୁପୁତ୍ରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧାଖଣ୍ଡିଆ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ ସ୍ଥାନୀୟ ଜନତା।

ମିଳିଥିବା ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି ଉପଲକ୍ଷେ ତାରିଣୀ ଦର୍ଶନ ପାଇଁ ରାମଚନ୍ଦ୍ରପୁର ଥାନା ସୁଆଁପଦା ଗ୍ରାମର ବ୍ୟବସାୟୀ ଦୀନବନ୍ଧୁ ତ୍ରିପାଠୀ (୩୭), ତାଙ୍କ ପତ୍ନୀ ଆରତି ତ୍ରିପାଠୀ (୩୦) ଓ ୧୦ ବର୍ଷର ପୁଅ ଆୟୁଷ ସାହୁ ବାଇକ୍‌ରେ ଘଟଗାଁ ତାରିଣୀ ପୀଠକୁ ଯାଉଥିବା ବେଳେ କୋଳିମାଟିଠାରେ ସକାଳ ସାଢେ ଆଠଟା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଠର ଚକିଆ ଟ୍ରଲର ବାଇକ୍‌ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ହିଁ ତିନିଜଣଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଟ୍ରଲର୍‌ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବାରୁ ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା। ଘସିପୁରା ଥାନା ପୁଲିସ୍‌ ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାକୁ ଅଧାପନ୍ତରିଆ ଭାବେ ଛାଡି ଚାଲି ଯାଇଥିବାରୁ ପ୍ରତିଦିନ ଦୁର୍ଘଟଣାରେ ଲୋକମାନଙ୍କ ଜୀବନ ଯାଉଛି। ଗତ ତିନିଦିନ ମଧ୍ୟରେ ଦୁର୍ଘଟଣା ଘଟି ପାଞ୍ଚଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଜାତୀୟ ରାଜପଥ ବିଭାଗର ଅବହେଳାରୁ ଜିଲ୍ଲାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ଏହି ରାସ୍ତା ବର୍ତ୍ତମାନ ମୃତ୍ୟୁପଥ ପାଲଟିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର