ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ପୃଥକ୍‌ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତା ପାର୍ଶ୍ବ ସିମେଣ୍ଟ ଖୁଣ୍ଟ ସହ ବାଇକ୍‌ର ଧକ୍କା ହେବାରୁ ଜଣେ ଯୁବକ ଏବଂ ସାଇକଲ୍‌କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
     ସୂଚନା ଅନୁସାରେ; ଠାକୁରମୁଣ୍ଡା ବ୍ଲକ୍‌ ଚମ୍ପାଝର ପଞ୍ଚାୟତ ଦୀଲିଗଞ୍ଜ ଗ୍ରାମ ଗାଡ଼ାସାହିର ଯୁବକ ଜୟରାମ ପିଙ୍ଗୁଆ (୩୫), ରାମ କାଣ୍ଡେଙ୍କେଲ (୨୪) ଓ ବେତ ଖୁଣ୍ଟିଆ (୨୪) ଗତକାଲି ସଂଧ୍ୟା ବେଳେ ଗୋଟିଏ ବାଇକ୍‌ରେ ଠାକୁରମୁଣ୍ଡାରୁ ଗାଁ’କୁ ଫେରୁଥିଲେ। ତେବେ ଠାକୁରମୁଣ୍ଡା-ଶରତ ରାସ୍ତାର ନୂଆସାହିଠାରେ ସିମେଣ୍ଟଖୁଣ୍ଟ ସହ ବାଇକ୍‌ ହୋଇଥିଲା। ଫଳରେ ୩ଜଣଯାକ ଗୁରୁତର ଆହତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ଠାକୁରମୁଣ୍ଡା ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଜୟରାମଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାମଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ସେହିପରି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡ଼ା ଗ୍ରାମର ଲବ ହୋ ଓ ପତ୍ନୀ ମୁନି ହୋ (୩୨) ଗତକାଲି ସଂଧ୍ୟା ବେଳେ ସାଇକଲ୍‌ ଯୋଗେ ସାଲେଇବେଡ଼ା ମହାଦେବ ଛକ ସାପ୍ତାହିକ ହାଟକୁ ଯାଉଥିଲେ। ଏହି ସମୟରେ ସାମନାପଟୁ ଆସୁଥିବା ଏକ ୪ ଚକିଆ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା।  ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମୁନିଙ୍କର ମୃତ୍ୟୁ ହୋଇଯାଇଥିଲା।
ଏନେଇ ଠାକୁରମୁଣ୍ଡା ପୁଲିସ ୫୬/୨୫ ଓ ୫୭/୨୫ରେ ପୃଥକ୍‌ ମାମଲା ରୁଜୁ କରିଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।