କୁଳିଅଣା/ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲାରେ ପୃଥକ ବାଇକ୍ ଦୁର୍ଘଟଣାରେ ୩ ଜଣ ଆରୋହୀଙ୍କ ମୃତ୍ୟୁ ହୋଇଛି। ମକର ସଂକ୍ରାନ୍ତିରେ ଏ ଖବର ସେମାନଙ୍କ ପରିବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଚାନ୍ଦୁଆ ଥାନା ଅଧୀନ ନୋଧନା ନିକଟସ୍ଥ ସୋନାସାହିରେ ଜଣେ ବାଇକ ଆରୋହୀ ଗଛରେ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ବାରିପଦା ସଦର ଥାନା ଭଗାବନ୍ଧୀ ଗାଁର ତନ୍ମୟ କୁମାର ମହାନ୍ତ (୨୨)। ସେ ଭୂରଶାଣି ଛକରୁ ପାନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ଚାନ୍ଦୁଆ ଥାନାରେ ୧/୧୮ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି।
ସେହିପରି ଆଜି ସକାଳ ୭ଟାରେ କୁଳିଅଣା ଥାନା ଚଣାବାଡ଼ିଆ ଗ୍ରାମର ବିଜୟ ନାଏକ (୩୭)ଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ମକର ପର୍ବ ଉପଲକ୍ଷେ ମାଂସ ଆଣିବା ପାଇଁ କଳାପଥର ଯାଉଥିଲେ। ପଞ୍ଚାୟତ ଅଫିସ ସମ୍ମୁଖରେ ଖସି ପଡ଼ିବାରୁ ଗୁରୁତର ହୋଇଥିଲେ। ୧୦୮ ଆମ୍ବୁଲାନରେ ପିଆର୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ୨/୧୮ରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି।
ସେହିପରି ଶୁଳିଆପଦା ଥାନା ପାକଟିଆ ପଞ୍ଚାୟତ ମହାନ୍ତି ପୋଲ ନିକଟରେ ବାଇକ୍ ଦୁର୍ଘଟଣାରେ କୁଲାଦହଣି ଗ୍ରାମର ରାଜେନ୍ଦ୍ର ନାଏକ (୫୦)ଙ୍କ ମୃତ୍ୟୁ ହୋଇଛି। ସେ ଗତକାଲି ସନ୍ଧ୍ୟାରେ ମକର ସଉଦାପତ୍ର ତଥା ପିଲାଙ୍କ ପୋଷାକ କିଣିବା ପାଇଁ କୋଷ୍ଠା ବଜାରକୁ ନିଜ ଗ୍ଲାମର ବାଇକ୍ରେ ବାହାରିଯାଇଥିଲେ। ସନ୍ଧ୍ୟା ଯାଇ ରାତି ହେଲା ପରେ ବି ସେ ଫେରିନଥିଲେ। ପରିବାର ଲୋକେ ଗାଁ ନିକଟରେ ଖୋଜାଖୋଜି କରି ପାଇନଥିଲେ। ଆଜି ସକାଳେ ମହାନ୍ତିପୋଲ ନିକଟରେ ତାଙ୍କ ବାଇକ୍ଟି ପଡ଼ିଥିଲା। ନିକଟରେ ତାଙ୍କର କ୍ଷତାକ୍ତ ମୃତଦେହ ପଡ଼ିଥିଲା। ତାଙ୍କ ଘରେ ପତ୍ନୀ, ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି। ଶୁଳିଆପଦା ଥାନା ଏଏସ୍ଆଇ ଚିତ୍ତରଂଜନ ଖିଲାର ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ୩/୧୮ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/accident-1.jpg)