ଅଜଣା ରୋଗରେ ସପ୍ତାହକ ମଧ୍ୟରେ ୩ ମୃତ, ଆଜି ପହଞ୍ଚିଲେ ମେଡିକାଲ ଟିମ୍

ବୈପାରିଗୁଡ଼ା: ଅଜଣା ରୋଗରେ ସପ୍ତାହକ ମଧ୍ୟରେ ତିନି ଜଣକର ମୃତ୍ୟୁ ଘଟିଛି। ଗ୍ରାମରେ ଏବେ ଆତଙ୍କ ଖେଳିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗ୍ରାମରେ। ତେବେ ଏହି ରୋଗର କାରଣ ଏଯାଏ ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛି। ପନ୍ଦରରୁ କୋଡ଼ିଏ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି।

ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣକୁ ପ୍ରଥମେ ରାମଗିରି ଏବଂ ପରେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ରୋଗୀର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ସ୍ବାସ୍ଥ୍ୟ ଅଣାୟତ୍ତ ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା। ଆଜି ରାମଗିରିରୁ ଏକ ମେଡ଼ିକାଲ ଟିମ୍ କାଣ୍ଡିକିଗୁଡା ଗ୍ରାମରେ ପହଞ୍ଚିଥିଲେ। ଲୋକଙ୍କୁ ଭେଟିବା ପରେ ଦୁଇ ଜଣ ରୋଗୀଙ୍କୁ ରାମଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି। ଆସନ୍ତାକାଲି ସାତ ଜଣିଆ ଡ଼ାକ୍ତରୀଦଳ ସେଠାରେ ପହଞ୍ଚିବେ ବୋଲି ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ଅଧିରାଜ ସାହୁ ପ୍ରକାଶ କରିଛନ୍ତି।

ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ଯେ, ଗତବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ଛଅ ଜଣକର ମୃତ୍ୟୁ ହୋଇଯାଇଛି। ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରିଛନ୍ତି। ୪୫ ଘର ବିଶିଷ୍ଟ ୧୯୪ ଜନସଂଖ୍ୟା ରହିଥିବା ଗ୍ରାମରେ ଦୁଇ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳେଇ ଦେଇଛି। ତେବେ ଶିକ୍ଷା ଏବଂ ସଚେତନତାର ଅଭାବ ସାଙ୍ଗକୁ ଗୁଣି ଗାରିଡି ଭଳି ଅନ୍ଧବିଶ୍ୱାସ ଉପରେ ନିର୍ଭର କରୁଥିବା ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ସହ ରୋଗର ମୂଳ କାରଣ ଖୋଜି ବାହାର କରିବା ଏବଂ ଏଦିଗରେ ଲୋକଙ୍କୁ ସଚେତନ କରିବା ନିହାତି ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର