କୋରାପୁଟ : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ବୟସ। କୋରାପୁଟ ଜିଲ୍ଲା ଜୟପୁର ସହରର ତିନି କୁନି ଧାବକ କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଦାମନଯୋଡ଼ି ପର୍ଯ୍ୟନ୍ତ ଦୌଡ଼ି ବିସ୍ମୟ ସୃଷ୍ଟି କରିଛନ୍ତି। ଏହି ୩ କୁନି ଧାବକ ହେଲେ, ଜୟପୁର ସହର ବଙ୍ଗଳାବାଡ଼ ବାସିନ୍ଦା ଜିତେନ୍ଦ୍ର ବାହାଦୁରଙ୍କ ବଡ଼ ଝିଅ ଯମୁନା(୧୦), ପୁଅ ହରିଶ(୯) ଓ ସା‌ନ ଝିଅ ତପସ୍ୟା(୭)। ପୂର୍ବରୁ ଏହି ତନି ଭାଇଭଉଣୀ ଜୟପୁରରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଦୌଡ଼ି ଚର୍ଚ୍ଚା ଏବଂ ପ୍ରଶଂସା ସାଉଁଟିଥିଲେ।

Advertisment

ରବିବାର ସକାଳ ୭ଟା ୨୦ରେ ବାପା ଜିତେନ୍ଦ୍ରଙ୍କ ସହିତ କୋରାପୁଟ ପୁଲିସ ମୁଖ୍ୟାଳୟ ନିକଟରେ ପହଞ୍ଚିଥିଲେ ତିନି ଭାଇଭଉଣୀ। ଏହାପରେ ଯମୁନା, ହରିଶ ଓ ତପସ୍ୟା ଜାତୀୟ ରାଜପଥ-୨୬ରେ ‌ଦୌଡ଼ିବା ଆରମ୍ଭ କରିଥିଲେ। ଦୀର୍ଘ ୨୭ କିଲୋମିଟର ରାସ୍ତାକୁ ୪ଘଣ୍ଟା ୩୫ ମିନିଟ୍‌ରେ ଅତିକ୍ରମ କରି ପ୍ରାୟ ୧୧ଟା ୫୫ ମିନିଟ୍‌ରେ ଦାମନଯୋଡ଼ିରେ ପହଞ୍ଚିଥିଲେ। ଭବିଷ୍ୟତରେ ସେନାବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ପୁଅଝିଅଙ୍କ ଲକ୍ଷ୍ୟ ରହିଥିବା ବାପା ଜିତେନ୍ଦ୍ର କହିଛନ୍ତି। ଜୟପୁର ଉପର କୋଲାବ ପ୍ରକଳ୍ପ ବିଦ୍ୟାଳୟରେ ଯମୁନା ପଞ୍ଚମ, ହରିଶ ଚତୁର୍ଥ ଏବଂ ତପସ୍ୟା ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି।