ରାଜାମୁଣ୍ତା/ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍‌ ଛକ ନିକଟରେ ୨୧୫/୫୨୦ ନମ୍ବର ଜାତୀୟ ରାଜପଥରେ ରାତି ପ୍ରାୟ ସାଢ଼େ ୭ଟା ସମୟରେ ଏକ ପୋଲ ନିର୍ମାଣ କାମରେ ନିୟୋଜିତ ୩ ଜଣ ଶ୍ରମିକଙ୍କର ହାଇୱା ଧକ୍କାରେ ମୃତ୍ୟୁ ହୋଇଛି। ଟ୍ରକ୍‌ଟି ଦ୍ରୁତଗତିରେ ଆସି କାମ କରୁଥିବା ଶ୍ରମିକଙ୍କ ଉପରେ ଚଢ଼ିଯିବା ସହ ଛିଡ଼ା ହୋଇଥିବା ଏକ କ୍ୟାମ୍ପରକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଏହି ଦୁର୍ଘଟଣାରେ ତିନିଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ହେଉଛନ୍ତି କେ.ବଲାଙ୍ଗ ଥାନା ଅଞ୍ଚଳର ଡିଲୁ ପାତ୍ର, ମଦନ ମୁଣ୍ଡାରୀ ଓ ଶୁକ୍ରା ମୁଣ୍ଡାରୀ।

Advertisment

ସୂଚନା ଅନୁସାରେ, ରାଜାମୁଣ୍ଡା ବାଇପାସ୍‌ ଛକଠାରୁ ୨୧୫/୫୨୦ ଜାତୀୟ ରାଜପଥ ଭାୟା କେ.ବଲାଙ୍ଗ ହୋଇ କୋଇଡ଼ା ପଟେ ଯାଇଛି। ରାଜାମୁଣ୍ଡା ବାଇପାସ୍‌ ଛକଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଏକ ପୋଲ ଅଛି। ସେହି ପୋଲର ଛାତରୁ କଂକ୍ରିଟ୍‌ ଗଳି ପଡ଼ିଥିଲା। ଫଳରେ ଉକ୍ତ ସ୍ଥାନକୁ ଠିକା ସଂସ୍ଥା ପକ୍ଷରୁ ରାତି ପ୍ରାୟ ସାଢ଼େ ୭ଟା ବେଳେ ମରାମତି କରାଯାଉଥିଲା। ଉକ୍ତ ସ୍ଥାନକୁ ମରାମତି କରିବା ପାଇଁ ଠିକାସଂସ୍ଥା ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵରେ ମସଲା ମିଶା ମେଟାଲ ଗଦାକରି ଦିଆଯାଇଥିଲା। ଗୋଟିଏ ପାର୍ଶ୍ଵରେ ସୂଚନାଫଳକ ଦିଆଯାଇଥିଲା। ସେଠାରେ ପ୍ରାୟ ୧୧ ଜଣ ଶ୍ରମିକ କାମ କରୁଥିବାବେଳେ ସେଥିମଧ୍ୟରୁ ୩/୪ ଜଣ ଶ୍ରମିକ ବ୍ରେକର ମେସିନ ମାଧ୍ୟମରେ ପୋଲର ଛାତକୁ ଫଟାଉଥିଲେ ଏବଂ ଅନ୍ୟମାନେ କାମ କରୁଥିଲେ।

ଏହି ସମୟରେ ରାଜାମୁଣ୍ଡା ବାଇପାସ୍‌ ପଟୁ ଓଡି ୧୪ କ୍ୟୁ ୯୧୩୯ ନମ୍ବର ହାଇୱା ଟ୍ରକ୍‌ଟି ଦ୍ରୁତଗତିରେ ଆସି ମସଲାମିଶା ମେଟାଲ ଉପରେ ଚଢ଼ି ବ୍ରେକର ମେସିନରେ କାମ କରୁଥିବା ତିନିଜଣ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ ଟ୍ରକ୍‌ଟି ସାମ୍ନାରେ ଥିବା ଓଡି ୦୨ ଡି ୬୦୬୫ ନମ୍ବର କ୍ୟାମ୍ପରକୁ ଶକ୍ତ ଧକ୍କା ଦେବାରୁ ତା’ର ପଛଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ବ୍ରେକର ମେସିନରେ କାମ କରୁଥିବା କେ.ବଲାଙ୍ଗ ଥାନା ଅଞ୍ଚଳର ଡିଲୁ ପାତ୍ର ଓ ମଦନ ମୁଣ୍ଡାରୀଙ୍କ ଟ୍ରକ୍‌ ଚକତଳେ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଶୁକ୍ରା ମୁଣ୍ଡାରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଲହୁଣିପଡ଼ା ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ କାମ କରୁଥିବା ପ୍ରାୟ ୧୧ ଜଣ ଶ୍ରମିକ ପ୍ରାଣବିକଳରେ ଯିଏ ଯୁଆଡେ ଦୌଡ଼ି ପଳାଇଥିବାବେଳେ ସୁକାନ୍ତ ମାହାନ୍ତି, ଅଶୋକ ଜଗଦେବ ଓ ରାମସିଂ ମୁଣ୍ଡା ଆହତ ହୋଇ ଲହୁଣିପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବରପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବଣାଇ ଉପଖଣ୍ଡ ଚିକିତ୍ସାଳୟ ଶବାଗାରକୁ ପଠାଇବା ସହିତ ତଦନ୍ତ କରୁଛି।