ବୁଲ୍‌ବୁଲ୍‌ ଯୋଗୁଁ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ, ୫ ହଜାରରୁ ଉର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି: ଏସ୍‌ଆରସି

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ରାଜ୍ୟରେ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରବିବାର ସ୍ୱତନ୍ତ୍ର ରିଲିଫ କମିସନର ଏହି ସୂଚନା ଦେଇଛନ୍ତି। ଏସ୍‌ଆରସି ପ୍ରଦୀପ କୁମାର ଜେନା କହିଛନ୍ତି, ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି। ବର୍ଷା ଓ ପବନ ଯୋଗୁଁ ୫ ହଜାର ୫୦୦ ହେକ୍ଟର ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି। ବୁଲ୍‌ବୁଲ୍‌ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି କିନ୍ତୁ ଘଟଣାର ତଦନ୍ତ ଚାଲିଛି। ସେହିପରି ୧୧ଟି ଗୋଣୁ, ୪ଟି ଛେଳି ଓ ୫୦ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଂଜ ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି।

ଏସ୍‌ଆରସି କହିଛନ୍ତି ଯେ, ବାତ୍ୟା ପୂର୍ବରୁ ଅନେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଥିଲା, ଯାହାକି ସୋମବାର ସୁଦ୍ଧା ସ୍ୱାଭାବିକ ହେବ। ବର୍ତ୍ତମାନ ବିଦ୍ୟୁତ ନ ଥିବା ସ୍ଥାନରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାତ୍ୟା ଆଶ୍ରୟସ୍ଥଳରୁ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଛନ୍ତି।

ସମ୍ବନ୍ଧିତ ଖବର