ପୌର ନିର୍ବାଚନରେ ବିଜେଡିର ଐତିହାସିକ ସଫଳତା: ସହରରେ ବି ଶଙ୍ଖ, ବିଜେଡି ହାତରେ ତିନି ମେୟର ପଦବି

୬୮% କାଉନସିଲ୍‌ର ବିଜେଡିର, ୮୮% ପୌରାଞ୍ଚଳ ଦଖଲ କଲା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ତାରିଖରେ ୧୦୯ଟି ପୌରାଞ୍ଚଳ ଓ ମହାନଗର ନିଗମ ମଧ୍ୟରୁ ୧୦୮ (ଧାମନଗର ଛାଡି)ଟିର ନିର୍ବାଚନ ଫଳାଫଳ ଶନିବାର ଦିନ ପ୍ରକାଶ ପାଇଛି। ତିନି ମେୟର ପଦବି ସହିତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ବିଜୁ ଜନତା ଦଳ ପୂର୍ବଭଳି ନିଜର ପତିଆରା ସାବ୍ୟସ୍ତ କରିଛି। ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ମହାନଗର ନିଗମରେ ବିଜେଡି ୪୮ଟି (ଗତଥର ବି ସେତିକି ଥିଲା) ଆସନରେ ଜିତିଛି। ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଦୁର୍ଗରେ ବିଜେପି ମାତ୍ର ୧୦ଟି ଵାର୍ଡ ଦଖଲ କରିଛି। ୯ଟି ଵାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। କୌଣସି ଗୋଟିଏ ବି ଵାର୍ଡରେ କଂଗ୍ରେସ ଖାତା ଖୋଲିପାରିନାହିଁ। ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ( ବିଜେପି ଠାରୁ ଭୋଟ ବ୍ୟବଧାନ ୬୩ ହଜାର ୧୪୩ ଭୋଟ)ରେ ବିଜୟୀ ହୋଇଛନ୍ତି। ଶ୍ରୀମତୀ ଦାସ ୧ଲକ୍ଷ ୭୪ ହଜାର ୫୬୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧ଲକ୍ଷ ୧୩ ହଜାର ୪୧୯ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୧୧ହଜାର ୬ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ଭୁବନେଶ୍ବରରେ ଅମାନତ ହରାଇଲା କଂଗ୍ରେସ
କଟକରେ ଦ୍ବିତୀୟ ସ୍ଥାନରେ କଂଗ୍ରେସ, ତିନି ନମ୍ବରରେ ବିଜେପି
ବ୍ରହ୍ମପୁରରେ କଂଗ୍ରେସକୁ ପଛରେ ପକାଇ ତୃତୀୟ ସ୍ଥାନରେ ଆପ୍
ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି

ସେହିଭଳି କଟକ ମହାନଗର ନିଗମରେ ବିଜେଡିକୁ ୩୮, ବିଜେପିକୁ ୭, କଂଗ୍ରେସକୁ ୮ ଓ ସ୍ବାଧୀନଙ୍କୁ ୬ଟି ଆସନ ମିଳିଛି। କଟକ ମହାନଗର ନିଗମରେ ବିଜେପିକୁ ତୃତୀୟ ସ୍ଥାନକୁ ଠେଲି କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। ହେଲେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପତିଆରା ଥିବା କଟକରେ କଂଗ୍ରେସ ୮ଟି ଵାର୍ଡରେ ଜିତିପାରିଛି। କଟକ ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ୪୫ ହଜାର ୨୦୬ ଭୋଟ ବ୍ୟବଧାନରେ କଂଗ୍ରେସକୁ ପରାସ୍ତ କରିଛନ୍ତି। ଶ୍ରୀ ସିଂହଙ୍କୁ ମୋଟ ୧ଲକ୍ଷ ୧୩ ହଜାର ୫୬୨ ଭୋଟ ମିଳିଥିଲା। ସେଠାରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮ହଜାର ୩୫୬ ଭୋଟ ପାଇଥିଲେ। ବିଜେପିର ଶ୍ରୀତମ ଦାସଙ୍କ ସପକ୍ଷରେ ୪୯ ହଜାର ୨୨୩ ଭୋଟର ମତ ଦେଇଥିଲେ।

୪୨ ଆସନ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଖାତାକୁ ୩୦ଟି ଆସନ ଯାଇଛି। ଏଠାରେ ବିଜେପି ୭ଟି ଓ କଂଗ୍ରେସ ଗୋଟିଏ ଵାର୍ଡରେ ବିଜୟ ଲାଭ କରିଥିବା ବେଳେ ୪ଜଣ କର୍ପୋରେଟର ସ୍ବାଧୀନ ଭାବେ ବିଜୟ ଲାଭ କରିଛନ୍ତି। ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬ହଜାର ୦୬୮ ଭୋଟ ପାଇଛନ୍ତି। ବିଜେପିକୁ ଏଠାରେ ୪୫ ହଜାର ୭୮୨ ଭୋଟ ମିଳିଛି। ସଂଘମିତ୍ରା ୨୦ହଜାର ୨୮୬ ଭୋଟରେ ବିଜୟ ଲାଭ କରିଛନ୍ତି। କଂଗ୍ରେସ (ମଞ୍ଜୁ ରଥଙ୍କ ଖାତାରେ ୬୭୬୮ ଭୋଟ)କୁ ପଛକୁ ଠେଲି ଆପ୍ ପ୍ରାର୍ଥୀ ସି ପ୍ରିୟଙ୍କା ଏଠାରେ ତୃତୀୟ ସ୍ଥାନରେ ରହିଛନ୍ତି। ସେ ମୋଟ ୭୪୫୩ ଭୋଟ ପାଇଛନ୍ତି।

ଅନ୍ୟପକ୍ଷରେ ୧୦୫ଟି ଅଧ୍ୟକ୍ଷ ଆସନ ମଧ୍ୟରୁ ୭୩ (୬୯. ୫୨%)ରେ ବିଜେଡି, ୧୬ (୧୫.୨୩%)ଟିରେ ବିଜେପି, ୭ଟି (୬.୬୬%)ରେ କଂଗ୍ରେସ ଏବଂ ୯ଟି (୮.୫୭%)ରେ ସ୍ବାଧୀନ ସଭ୍ୟ ବିଜୟ ଲାଭ କରିଛନ୍ତି। ୧୭୧୬ଟି କାଉନସିଲର ପଦବି ମଧ୍ୟରୁ ବିଜେଡି ୧୧୭୫ (୬୮.୪୭%) ଆସନରେ ବିଜୟ ଲାଭ କରିଥିବା ବେଳେ ୨୮୮ (୧୬.୭୮%)ରେ ବିଜେପି, ୧୩୪ (୭.୮%)ରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ୧୧୭ଟି (୬.୮୧%) ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ବିଏସ୍‌ପି ଓ ସିପିଆଇ ଖାତାକୁ ଗୋଟିଏ ଲେଖାଏଁ ଆସନ ଯାଇଛି। ସେହିପରି ନିର୍ବାଚନ ଫଳାଫଳକୁ ତର୍ଜମା କଲେ ଦେଖାଯାଉଛି ଯେ ୭୩ଟି ପୌରାଧ୍ୟକ୍ଷ ଆସନ ହାସଲ କରିଥିବା ବିଜେଡି କିନ୍ତୁ ୯୫ଟି ମ୍ୟୁନିସପାଲଟି ଏବଂ ଏନ୍‌ଏସିରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ (ଗ୍ରାମାଞ୍ଚଳ ଭୋଟ)ରେ ୯୦ ପ୍ରତିଶତ ଆସନ ପାଇ ଶାସକ ବିଜେଡି ଯେଉଁ ରେକର୍ଡ ବିଜୟ ହାସଲ କରିଥିଲା, ସେହି ଧାରାରେ ପୌର ଫଳ ଶାସକ ଦଳ ସପକ୍ଷରେ ଯାଇଛି। ଶାସକ ବିଜେଡି ଦଳ ଦାବି କରିଛି ଯେ ସେମାନେ ୧୦୮ଟି ପୌରାଞ୍ଚଳ ମଧ୍ୟରୁ ୮୮% ଆସନ ଦଖଲ କରିଛନ୍ତି। ବିଜେପି ୫.୫%, କଂଗ୍ରେସ ୩.୫% ଓ ସ୍ବାଧୀନ ସଭ୍ୟମାନେ ୩% ଆସନ ଦଖଲ କରିଛନ୍ତି। ପୂର୍ବରୁ ପୌର ନିର୍ବାଚନରେ କେବେବି ବିଜେଡି ଏତେ ବଡ଼ ସଫଳତା ପାଇନଥିଲା। ଏହାକୁ ଦଳର ନେତାମାନେ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି।

ପରିସଂଖ୍ୟାନକୁ ଓଲଟାଇ ଦେଖିଲେ ଆହୁରି ଜଣାପଡୁଛି ଯେ ୨୦୧୩ ପୌର ଫଳାଫଳ ତୁଳନାରେ ଭାରତୀୟ ଜନତା ପାର୍ଟିର ଶକ୍ତି ସହରାଞ୍ଚଳରେ ବଢ଼ିଥିଲେ ହେଁ, ଦଳ କିନ୍ତୁ ବିଜେଡିକୁ ମାତ୍ ଦେବା ଭଳି ସ୍ଥିତିକୁ ଆସିନାହିଁ। ହେଲେ ଦଳ ପାଇଁ ଆଶ୍ବାସନାର ବିଷୟ ହେଲା; ଭାରତୀୟ ଜନତା ପାର୍ଟି ୬ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ସିନା ୧୬ଟି ପୌରାଞ୍ଚଳର ଅଧ୍ୟକ୍ଷ ପଦ ଏବେ ଦଳ ହାତରେ ରହିବ। ଏହି କ୍ରମରେ କଂଗ୍ରେସ ୪ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ ୭ଟି ଅଧ୍ୟକ୍ଷ ଆସନ ଜିତିଛି। ସବୁଠାରୁ ବଡ଼ କଥା ହେଲା ୩ଟି ପୌରାଞ୍ଚଳ ସ୍ବାଧୀନ ପ୍ରାର୍ଥୀଙ୍କ ଦଖଲକୁ ଯାଇଛି ଏବଂ ୯ଟି ପୌରାଧ୍ୟକ୍ଷ ପଦବି ମଧ୍ୟ। ସ୍ବାଧୀନ ସଭ୍ୟଙ୍କ ମଧ୍ୟରୁ ଅଧିକାଂଶ ବିଜେଡି ବି‌ଦ୍ରୋହୀ ବୋଲି ଶାସକ ଦଳ ଦାବି କରୁଛି।

ଉଲ୍ଲେଖଥାଉକି, ଗ୍ରାମାଞ୍ଚଳ ଭୋଟ ଭଳି ସହରାଞ୍ଚଳରେ ବି କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଭୁବନେଶ୍ବର ମହାନଗର ନିଗମରେ ଦଳ ଖାତା ଖୋଲିପାରିନାହିଁ। ସେହିଭଳି ୬୪ଟି ପୌରାଞ୍ଚଳରେ ଦଳର ଜଣେ ବି କାଉନସିଲର ଜିତିପାରିନାହାନ୍ତି। ସେହିଭଳି ୨୧ଟି ପୌରାଞ୍ଚଳରେ ବିଜେପିର କାଉନସିଲରଙ୍କ ଉପସ୍ଥିତି ଆଦୌ ନାହିଁ। ଏତେ ବଡ ସଫଳତା ପରେ ବି ନୂଆପଡା ଜିଲ୍ଲାରେ ବିଜେଡିର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏହି ଜିଲ୍ଲାର କୌଣସି ଗୋଟିଏ ବି ପୌରାଞ୍ଚଳରେ ଅଧ୍ୟକ୍ଷ ପଦ ପାଇପାରିନାହିଁ ଶାସକ ବିଜେଡି।

ସମ୍ବନ୍ଧିତ ଖବର