କଳାହାଣ୍ଡିରେ ପହଞ୍ଚିଲେ ୩ ଜଣିଆ କେନ୍ଦ୍ରୀୟ ଟିମ୍‌, ହାତୀ ମଡ଼କ ପାଇଁ ମାରାଥନ ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ୩ ଜଣିଆ କେନ୍ଦ୍ରୀୟ ଟିମ ଶୁକ୍ରବାର ସନ୍ଧ୍ୟାରେ ଆସି ପହଞ୍ଚିଛନ୍ତି। ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଟିମ୍‌ର ମାରାଥନ ବୈଠକ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଚାଲିଥିଲା। ଏହି ଟିମ୍‌ ଶନିବାର ହାତୀ ମଡ଼କ ଅଞ୍ଚଳ ଗସ୍ତ କରି ତଥ୍ୟ ସଂଗ୍ରହ କରିବେ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ସନ୍ଧ୍ୟାରେ କେନ୍ଦ୍ରୀୟ ଟିମ ପକ୍ଷରୁ ଉତ୍ତରପ୍ରଦେଶ ବରେଲିର ସେଣ୍ଟର ଫର ୱାଇଡ଼ଲାଇଫର ବୈଜ୍ଞାନିକ ଡା. କରିକଲାନ ମାଥେସ, ଏଲିଫେଣ୍ଟ ସେଲର ଜାତୀୟ ସଂଯୋଜିକା ଡା. ପ୍ରଜ୍ଞା.ପି ପଣ୍ଡା ଓ ଓୟୁଏଟିର ପ୍ରଫେସର ଡା. ନିରଞ୍ଜନ ସାହୁ ଭବାନୀପାଟଣାଠାରେ ପହଞ୍ଚିଥିଲେ। ଗୌହାଟୀ ଭେଟନାରି କଲେଜର ପଦ୍ମଶ୍ରୀ ଡା. କେକେ ଶର୍ମାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଏହି ଟିମରେ ଆସି ପାରିନଥିଲେ। କିନ୍ତୁ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇଥିଲେ। ସନ୍ଧ୍ୟା ୮ଟାରେ ଉତ୍ତର ବନଖଣ୍ଡ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାର କର୍ଲାପାଟ ଅଭୟାରଣ୍ୟର ରେଞ୍ଜର, ବନ ବିଭାଗ କର୍ମଚାରୀ ଓ ଅନ୍ୟ ଅଧିକାରୀମାନେ କେନ୍ଦ୍ରୀୟ ଟିମକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ବୈଠକ ଜାରି ରହିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ପରେ ଏହି ଟିମ କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଶନିବାର ଏହି ଟିମ କର୍ଲାପାଟ ଅଭୟାରଣ୍ୟର ହାତୀ ମଡକ ଅଞ୍ଚଳ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି। ଗସ୍ତରୁ ଫେରିବା ପରେ ପୁନର୍ବାର ଆଲୋଚନା ଓ ସମୀକ୍ଷା ହେବ। ଏହି କେନ୍ଦ୍ରୀୟ ଟିମ ହାତୀ ମଡକକୁ ରୋକିବା ପାଇଁ କଣ ଗୁରୁମନ୍ତ୍ର ଦେଉଛନ୍ତି ବନବିଭାଗ ପକ୍ଷରୁ ଅପେକ୍ଷା ରହିଛି। ହାତୀ ମଡକ ଯୋଗୁଁ ସାରା ଭାରତରେ ପୁଣିଥରେ କଳାହାଣ୍ଡି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର