ବିଧାନସଭାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା: ଦାୟିତ୍ବରେ ୭୫ ପୁଲିସ ଅଧିକାରୀ, ୮ ପ୍ଲାଟୁନ୍‌ ଫୋର୍ସ

ସ୍ଥିତି ସମୀକ୍ଷା କଲେ ଡିଜିପି ଓ ସିପି, କେବଳ ପାସ୍‌ଧାରୀଙ୍କୁ ମିଳିବ ଅନୁମତି

ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର) ଠାରୁ ଦୁଇଦିନ ଧରି ବିଧାନସଭାରେ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ୧୮ ଓ ୧୯ ତାରିଖରେ କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୦ ତାରିଖ ବାଚସ୍ପତି ନିର୍ବାଚନ ହେବ। ତେଣୁ ଏହି ସମୟରେ ଯେଭଳି ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ଦେଖାନଯାଏ ତାହାକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇଛି। ଯଦିଓ ଏହି ସମୟରେ କୌଣସି ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା କି ଧାରଣା କି ବିକ୍ଷୋଭ ପ୍ରଦର୍ଶନ ହେବ ନାହିଁ, ତେବେ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି। ଏଥି ଲାଗି ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା।

ବିଧାନସଭା ଭିତର, ବାହାର ଓ ଆଖପାଖ ଅଞ୍ଚଳରେ ପୁଲିସ ଛାଉଣି କରାଯିବ। ଏଥିପାଇଁ ୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଆଣ୍ଟି ସାବୋଟେଜ୍ ଟିମ୍‌, ଆଣ୍ଟି ଟେରରିଷ୍ଟ ଟିମ୍‌, ଅଗ୍ନିଶମ ବିଭାଗ ଆଦି ସମସ୍ତ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ବିଧାନସଭାଠାରୁ ଆରମ୍ଭ କରି ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ଶତାଧିକ ସିସିଟିଭି ଖଞ୍ଜା ଯାଇଛି। ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବ। ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ଗୋଟିଏ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌ ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ନେତୃତ୍ବରେ ଦୁଇ ଡିସିପି ପାହ୍ୟାର ଅଧିକାରୀଙ୍କ ସମେତ ଅତିରିକ୍ତ ଡିସିପି, ଡିଏସ୍‌ପି ପାହ୍ୟାର ଅଧିକାରୀ, ଆଇଆଇସିଙ୍କୁ ମିଶାଇ ୭୫ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଆଜି ଡିଜିପି ଅରୁଣ ଷଡ଼ଙ୍ଗୀ ବିଧାନସଭା ଓ ଆଖପାଖ ଅଞ୍ଚଳ ବୁଲି ସୁରକ୍ଷା ବ୍ୟବସ୍ଥା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ କେବଳ ପାସ୍‌ଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ। ସ୍ଥିତି ଯାଞ୍ଚ ବେଳେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଆଇଜି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର