କରୋନାରେ ସ୍ୱାମୀ, ଦିଅର, କାକାଶ୍ୱଶୁର ମୃତ

ଭାଙ୍ଗିପଡ଼ିଛନ୍ତି କରୋନା ଯୋଦ୍ଧା

କୋମନା : କୋମନା ବ୍ଲକ୍‌ ଡୁମେରବାହାଲ ଗାଁରେ କରୋନା ଦ୍ବିତୀୟ ଲହର ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି। ୧୨ ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଜିଲ୍ଲା କୋଭିଡ ଡାକ୍ତରଖାନାରେ ଓ ଜଣେ କୋମନା ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି।

ପ୍ରକାଶ ଯେ ଡୁମେରବାହାଲ ଗାଁରେ ୧୬୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଗାଁର ମହିଳା ସ୍ବାସ୍ଥ୍ୟକର୍ମୀ ଦେବକୀ ନିଆଲ ନିଜ ଜୀବନକୁ ବାଜି ଲଗାଇ ଗାଁ ଲୋକଙ୍କ ସେବା କରି ଆସୁଥିଲେ। ସେ ନିଜେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସମସ୍ତେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତାଙ୍କ କାକାଶ୍ବଶୁର ମଧୁସୂଦନ ଛତ୍ରିଆ (୬୦ବର୍ଷ), ଦିଅର କୋନାବୀର ପଞ୍ଚାୟତର ଯୋଗାଣ ସହାୟକ ଅଜିତ ଛତ୍ରିଆ (୪୨ବର୍ଷ) ଓ ସ୍ବାମୀ ମୋହନ ଛତ୍ରିଆ ଆକ୍ରାନ୍ତ ମଧ୍ୟ ଆକ୍ରାନ୍ତ ଥିଲେ। ମଧୁସୂଦନ ଓ ଅଜିତ ଜିଲ୍ଲା କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଅଜିତଙ୍କ ଶନିବାର ରାତିରେ ମୃତ୍ୟୁ ହୋଇଥିଲା। ରବିବାର ସକାଳେ ମଧୁସୂଦନଙ୍କ ମୃତ୍ୟୁ ଘଟିଥିଲା। ମୋହନ ଘରେ ସଂଗରୋଦରେ ଥିଲେ। ରବିବାର ସକାଳି ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମଧ୍ୟ ପରିବାର ଲୋକେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇ ଆଣିଥିଲେ। ଏଠାରେ ମୋହନଙ୍କ ମୃତ୍ୟୁ ଘଟିଥିଲା।

ସ୍ୱାସ୍ଥ୍ୟକର୍ମୀ ଦେବକୀ ୧୨ ଘଣ୍ଟା ମଧ୍ୟରେ ତାଙ୍କ ସ୍ବାମୀ ସହ ପରିବାରର ୩ ଜଣଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। ମଧୁସୂଦନ ଓ ଅଜିତଙ୍କ ଅନ୍ତିମସଂସ୍କାର କୋଭିଡ ନିୟମ ଅନୁସାରେ ଜିଲ୍ଲା କୋଭିଡ ମଶାଣିରେ କରାଯାଇଛି। ମୋହନଙ୍କ ଅନ୍ତିମସଂସ୍କାର କୋନାବିରା ସରପଞ୍ଚ ଈଶ୍ବର ଚନ୍ଦ୍ର ନାଏକଙ୍କ ଉଦ୍ୟମରେ ଡୁମେରବାହାଲ ଗାଁ ପାଖରେ କରାଯାଇଛି।

ସମ୍ବନ୍ଧିତ ଖବର