ଖଇରପୁଟ: ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ୩ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି। ଛାତ ସେଣ୍ଟ୍ରିଂ ଖୋଲିବା ବେଳେ ସେଣ୍ଟ୍ରିଂ ମାଡିବସିବାରୁ ୩ ଜଣ ଯୁବକ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ମୃତକ ତିନି ଜଣ ହେଲେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ ବଡପଡା ଗ୍ରାମର ବୁଦା ଚାଲାଣଙ୍କ ପୁଅ ସନିଆ ଚାଲାଣ (୨୩), ଶୁକ୍ରା ବଡନାୟକଙ୍କ ପୁଅ ସମା ବଡନାୟକ (୨୧) ଓ ସମା ବଡନାୟକଙ୍କ ପୁଅ ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଗଇଗୁଡା ଗ୍ରାମର ସନିଆ ବଡନାୟକ (୧୮)। ୩ ଜଣଙ୍କ ମୃତ ଦେହକୁ ଗାଁକୁ ଆଣିବା ପାଇଁ ପରିବାରବର୍ଗ ମୁଦୁଲିପଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।
ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମର ୫ ଜଣ ଓ ଗଇଗୁଡା ଗ୍ରାମରେ ଜଣେ ଗତ ୨ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଠିକାଦାର ନିକଟରେ ରହି କାମ କରୁଥିଲେ। ଆଜି ସକାଳ ୭ଟା ବେଳେ ହାଇଦ୍ରାବାରେ ଗୋଟିଏ ଘରର ଛାତର ସେଣ୍ଟ୍ରିଂ ବାହାର କରୁଥିବା ବେଳେ ସେଣ୍ଟ୍ରିଂ ବଣ୍ଡା ଘାଟିର ଯୁବକମାନଙ୍କ ଉପରେ ମାଡିବସିଥିଲା। ସମସ୍ତ ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସନିଆ ଚାଲାଣ, ସମା ବଡନାୟକ ଓ ସନିଆ ବଡନାୟକଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ବଡପଡା ଗ୍ରାମର ବଳରାମ ବଡନାୟକ, ବୁଦା ବଡନାୟକ ଓ ଶୁକ୍ରା ବଡନାୟକ ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏନେଇ ଆଜି ପୂର୍ବାହ୍ନ ୧୦ଟା ବେଳେ ବୁଦା ବଡନାୟକ ଫୋନ ଯୋଗେହ ଗାଁକୁ ଖବର ଦେଇଥିେଲେ। ୩ ଜଣ ଯୁବକ ପ୍ରାଣହରାଇଥିବା ନେଇ ପରିବାରବର୍ଗ ଭାଙ୍ଗି ପଡିଛନ୍ତି। ମୃତ ଦେହକୁ ଆଣିବା ପାଇଁ ପରିବାରବର୍ଗ ଆଜି ସନ୍ଧ୍ୟାରେ ମୁଦୁଲିପଡା ଥାନାରେ ଅଭିଯୋଗ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।