ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଆଜି ଲୋକସେବା ଭବନରେ ତିନି ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇଛନ୍ତି। ଏବେ ନବୀନଙ୍କ ଟିମ୍ରେ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା ୧୫ ଓ ରାଷ୍ଟ୍ର ମନ୍ତ୍ରୀଙ୍କ ସଂଖ୍ୟା ୬ ହୋଇଛି।
ଶପଥ ଗ୍ରହଣ ପରେ ପରେ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ନିରଞ୍ଜନ ପୂଜାରୀଙ୍କ ଠାରୁ ଅର୍ଥ ବିଭାଗ କଢ଼ାଯାଇ ବିକ୍ରମ ଆରୁଖଙ୍କୁ ଦିଆଯାଇଛି। ଶ୍ରୀ ପୂଜାରୀଙ୍କ ହାତରେ ଏବେ କେବଳ ସ୍ବାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗ ରହିବ। ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଶାରଦା ନାୟକଙ୍କୁ ଶ୍ରମ ବିଭାଗ ମିଳିଛି। ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇ ନାହିଁ।
ସୋମବାର ଦିନ ଲୋକସେବା ଭବନ କନ୍ଭେନ୍ସନ ହଲ୍ରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପହଞ୍ଚିଲା ପରେ ୯ଟା ୫୦ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ବିକ୍ରମ ଆରୁଖଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପରେ ପରେ ଶ୍ରୀ ମାର୍ଣ୍ଡି ଓ ଶ୍ରୀ ନାୟକ ଶପଥ ଗ୍ରହଣ କରିଥିଲେ। ଏହା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।