ଭୁବନେଶ୍ବର: ମାଡ଼ି ଆସୁଛି ତାତି। ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଜଳିବ ସାରା ରାଜ୍ୟ। ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଅଧିକ ରହିବ। ପ୍ରବଳ ଗୁଳୁଗୁଳି ସହ ଝାଞ୍ଜି ମାଡ଼ ହେବ। ସ୍ଥାନେ ସ୍ଥାନେ ଦିନର ପାରଦ ୪୫ ଡିଗ୍ରି ଡେଇଁଯିବ। ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବଢ଼ିବାକୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ। ଓଡ଼ିଶା ପାଇଁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି। ଆହୁରି ସ୍ପଷ୍ଟ କରିଛି ଯେ ଏପ୍ରିଲ ଗ୍ରୀଷ୍ମ ମାସରେ ପରିଣତ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୬ରେ ପହଞ୍ଚିବ। ଦିଲ୍ଲୀ ସମେତ ଉତ୍ତରପଶ୍ଚିମ ରାଜ୍ୟଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୨ରୁ ୩ ରହିବ। ଏପ୍ରିଲ, ମେ’ ଓ ଜୁନ୍ ମାସରେ ପୂର୍ବ ଭାରତରେ ହାରାହାରି ୧୦ରୁ ୧୨ଟି ଗ୍ରୀଷ୍ମ ପ୍ରବାହ ଦିନ ରହିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଦିନ ଅଧିକ ରହିବ। ପୂର୍ବ ଓ ପଶ୍ଚିମ ଭାରତର କେତେକ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ରହିପାରେ। ଉତ୍ତର ଓ ପୂର୍ବ, କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ଭାରତରେ ୨ରୁ ୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସାଧାରଣତଃ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୪ରୁ ୭ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥାଏ।
ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା
ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇବ
ଆଜି ବି ୪୦ ଡିଗ୍ରି ଉପରେ ୭ ସହର
ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା, ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡ଼ୁର ଉତ୍ତରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ବାଭାବିକଠାରୁ ଅଧିକ ରହିବ। ଏପ୍ରିଲରେ ଦେଶର ଅଧିକାଂଶ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଏପ୍ରିଲ ମାସରେ ଦେଶରେ ସ୍ବାଭାବିକ ବର୍ଷା ହେବ। ତେବେ ଉତ୍ତରପଶ୍ଚିମ, ପେନିନ୍ସୁଲାର, ଉତ୍ତରପୂର୍ବ ଓ ପଶ୍ଚିମ କେନ୍ଦ୍ରୀୟ ଭାରତର କେତେକ ସ୍ଥାନରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ଆଶଙ୍କା ରହିଛି। ଏପ୍ରିଲ ୧ରେ ଦକ୍ଷିଣ ଓଡ଼ିଶା, ୨ ଓ ୩ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରି ରେକର୍ଡ ହୋଇଛି।