ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସାଇବର୍‌ ଥାନା

ରାଉରକେଲା : କ୍ରମବର୍ଦ୍ଧିଷ୍ଣୁ ଅନ୍‌ଲାଇନ୍‌ ଠକେଇ ଓ ସୋସିଆଲ୍‌ ମିଡ଼ିଆରେ ଆପତ୍ତିଜନକ ତଥା ଆପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଆଉ ୩ଟି ସାଇବର ଅପରାଧ ନିୟନ୍ତ୍ରଣ ଥାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ସାଇବର ଥାନା ଅଧୀନରେ ସୁନ୍ଦରଗଡ଼, ରାଉରକେଲା, କେନ୍ଦୁଝର ପୁଲିସ୍‌ ଜିଲ୍ଲା ସମେତ ଏସ୍‌ଆର୍‌ପି ରାଉରକେଲା ରହିବ। ସେହିପରି ସମ୍ବଲପୁର ସାଇବର୍‌ ଥାନା ଅଧୀନରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୋନପୁର, ଅନୁଗୁଳ, ଦେଓଗଡ଼, ଢ଼େଙ୍କାନାଳ ଓ ବୌଦ୍ଧ ଜିଲ୍ଲା ରହିବ। ବ୍ରହ୍ମପୁର ସାଇବର ଥାନା ଅଧୀନରେ ବ୍ରହ୍ମପୁର, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଂଗପୁର, ନୂଆପଡ଼ା, ଓ ରାୟଗଡ଼ା ପୁଲିସ୍‌ ଜିଲ୍ଲା ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ବ୍ୟାଙ୍କର ୬,୧୨୫ ଏଟିଏମ୍‌ ଥିବା ବେଳେ ପ୍ରାୟ ୨୦%ରୁ ଅଧିକ ଏଟିଏମ୍‌ରେ ଓ୍ଵିଣ୍ଡୋ ଏକ୍ସପି ବ୍ୟବହୃତ ହେଉଛି; ଯାହା ନିରାପଦ ନୁହେଁ। ଏଥିରୁ ଫାଇଦା ଉଠାଇ ସାଇବର ଅପରାଧୀମାନେ ନିୟମିତ ଏଟିଏମ୍‌ ଠକେଇ ଓ ଲୁଟ୍‌ କରୁଥିବା ବେଳେ ଇସ୍ପାତ ସହର ରାଉରକେଲା ଓ ଏହାର ଚତୁଃପାର୍ଶ୍ୱସ୍ଥ ଅଞ୍ଚଳରେ ଏଭଳି ଠକେଇ ଅଭିଯୋଗ ବିଭିନ୍ନ ସମୟରେ ଆସୁଛି। ବିଶେଷକରି ଯୁବପିଢ଼ି ସୋସିଆଲ୍‌ ମିଡିିଆର ଅପବ୍ୟବହାର କରି ଛାତ୍ରୀ ଓ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ବାରମ୍ବାର ଆସୁଛି। ଉଲ୍ଲେଖଯୋଗ୍ୟ, କଟକରେ ସାଇବର୍‌ ଥାନା ଖୋଲିବା ପରେ କ୍ରମବର୍ଦ୍ଧିଷ୍ଣୁ ସଇବର୍‌ ଅପରାଧକୁ ଦୃଷ୍ଟିରେ ରଖି ସରକାର ୨୦୧୬ରେ ରାଉରକେଲା ଓ ଅନ୍ୟ କେତେକ ପ୍ରମୁଖ ସ୍ଥାନରେ ସାଇବର୍‌ ଥାନା ଖୋଲିବାକୁ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର