ଭୁବନେଶ୍ବର : ଗତ ୩ ଦିନର ବ୍ୟବଧାନ ପରେ ଆଜି ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ସଂପୃକ୍ତ ବ୍ୟକ୍ତି ବାଲେଶ୍ବର ଜିଲ୍ଲାର ୫୮ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ଏହାସହ ସଂକ୍ରମିତ ଜିଲ୍ଲା ତାଲିକାରେ ବାଲେଶ୍ବର ଜିଲ୍ଲା ସାମିଲ ହୋଇଛି।
ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଯାତ୍ରା ବିବରଣୀ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସଂପୃକ୍ତ ବ୍ୟକ୍ତି ଜଣକ କାହା ସଂସ୍ପର୍ଶରେ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆଜି ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୮୬୧୯ ନମୁନା ପରୀକ୍ଷା କରାଯାଇଛି। ଗତକାଲି ୧୦୪୨ନମୁନା ରାଜ୍ୟରେ ପରୀକ୍ଷା କରାଯାଇଥିଲା। ତେବେ ରାଜ୍ୟରେ ସଂକ୍ରମଣ ହାର ୦.୭ ପ୍ରତିଶତ ରହିଥିବା ବେଳେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଏହାସହ ରାଜ୍ୟରେ ୩୭ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ସ୍ପଷ୍ଟ ହୋଇଛି।
ଅପରପକ୍ଷରେ ଲଗାତାର ଦୁଇ ଦିନ ହେଲା ରାଜଧାନୀରେ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତକାଲି ୨ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଆଉ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତ ସୁସ୍ଥ ହେବା ସଂଖ୍ୟା ୨୪ରେ ପହଞ୍ଚିଛି। ରାଜଧାନୀରେ ସମୁଦାୟ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ଜଣ ସୁସ୍ଥ ହୋଇଥିଲେ। ତେବେ ଆଜି ଆହୁରି ୩ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।