୩ ଜାତୀୟ ଫୁଟବଲ ଖେଳାଳି ଏବେ ଦିନ ମଜୁରିଆ: ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଶଙ୍ଖ, ତୁଳସୀ, କିଶୋର

କିଏ ରଙ୍ଗ ମିସ୍ତ୍ରି ତ କିଏ ପାଇପ୍‌ ମିସ୍ତ୍ରି, କିଏ ସେଣ୍ଟ୍ରିଂ ମିସ୍ତ୍ରି

ରାଉରକେଲା: ଦିନଥିଲା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ତାଳିମାଡ଼ରେ କମ୍ପି ଉଠୁଥିଲା ଫୁଟବଲ ପଡ଼ିଆ। ବିଚକ୍ଷଣ କ୍ରୀଡ଼ା କୌଶଳ ଓ ଉତ୍କୃଷ୍ଟ ପ୍ରଦର୍ଶନ ଆଗରେ ହାର ମାନୁଥିଲା ପ୍ରତିପକ୍ଷ ଖେଳାଳିଙ୍କ ରଣକୌଶଳ। ବର୍ଷବର୍ଷ ଧରି ସନ୍ତୋଷ ଟ୍ରଫି, ସୁବ୍ରୋତୋ କପ୍‌ ଆଦି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଏମିତିକି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ଆନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଭାଗନେଇ ଗୌରବ ଆଣିଥିଲେ। କେବଳ ଏତିକି ନୁହେଁ, ବହୁ ପ୍ରତିଷ୍ଠିତ ଫୁଟବଲ କ୍ଲବ ପକ୍ଷରୁ ମଧ୍ୟ ଖେଳିଥିଲେ। ବିଡ଼ମ୍ବନା, ଏକାଧିକବାର ରାଜ୍ୟକୁ ପ୍ରତିନିଧିତ୍ୱ କରିଥିବା ସତ୍ତ୍ୱେ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳିନଥିଲା। ଫଳରେ ପରିବାର ପ୍ରତିପୋଷଣ ପାଇଁ ସେମାନେ ଖେଳ ଛାଡ଼ି ଏବେ ଦିନ ମଜୁରିଆ ପାଲଟିଯାଇଛନ୍ତି। ତିନି ତିନି ଜଣ ଜାତୀୟ ଫୁଟବଲ ଖେଳାଳି ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। କିଏ ରଙ୍ଗମିସ୍ତ୍ରୀ ପାଲଟିଯାଇଥିବା ବେଳେ କିଏ ପାଇପ୍‌ ମିସ୍ତ୍ରି, ପୁଣି କିଏ ସେଣ୍ଟ୍ରିଂ କାମରେ ଦିନ ମଜୁରିଆଭାବେ ମୂଳ ଲାଗୁଛନ୍ତି। ଏମାନେ ହେଉଛନ୍ତି ରାଉରକେଲାର ଶଙ୍ଖ ମାରାଣ୍ଡି, କିଶୋର ତନ୍ତୀ ଓ ତୁଳସୀ ଏକ୍କା।

ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା ତିଲକାନଗରର ଶଙ୍ଖ ମାରାଣ୍ଡି ହେଉଛନ୍ତି ଚର୍ଚ୍ଚିତ ଓ ଉଚ୍ଚକୋଟୀର ଫୁଟବଲ ଖେଳାଳି। ୨୦୦୫ ମସିହାରେ ସୁନ୍ଦରଗଡ଼ସ୍ଥ ସାଇ ଛାତ୍ରାବାସରେ ଫୁଟବଲ ପ୍ରଶିକ୍ଷଣ ନେବାଠାରୁ ୨୦୨୦ ପର୍ଯ୍ୟନ୍ତ ସେ ଏକାଧିକ କୃତିତ୍ବ ଅର୍ଜନ କରିଛନ୍ତି। ସ୍କୁଲ ଜାତୀୟ ପ୍ରତିଯୋଗିତା, ରୁରାଲ ନ୍ୟାସନାଲ ପ୍ରତିଯୋଗିତା, ୨୧ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତାରେ ସେ ବହୁବାର ପଡ଼ିଆକୁ ଓହ୍ଲାଇଥିଲେ। ୨୦୧୩-୧୪ ଓ ୨୦୧୪-୧୫ରେ ଦୁଇ ଦୁଇଥର ସନ୍ତୋଷ ଟ୍ରଫି, ଦୁଇଥର ସୁବ୍ରୋତୋ କପ୍‌ ସମେତ ଆଇ-ଲିଗ୍‌ ଖେଳିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୦୯-୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସୁବ୍ରୋତୋ କପ୍‌ରେ ସେ ୧୫ଟି ଗୋଲ୍‌ ସ୍କୋର୍‌ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏତଦ୍‌ବ୍ୟତୀତ ସେ କ୍ଲବ୍‌-୭୩(ଭୁବନେଶ୍ବର), ସମଲେଶ୍ବରୀ ସ୍ପୋର୍ଟିଂ(ସମ୍ବଲପୁର)ରୁ ଖେଳିଥିଲେ। ସେତେବେଳେ ଶଙ୍ଖଙ୍କୁ ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ କ୍ଲବ, ଯଥା- ମୋହନ ବଗାନ(କୋଲକତା), ଡେମ୍ପୋ କ୍ଲବ(ଗୋଆ), ଟାଟା ଫୁଟବଲ ଏକାଡେମୀ ଆଦିରୁ ଖେଳିବାକୁ ନିମନ୍ତ୍ରଣ ମିଳିଥିଲା; କିନ୍ତୁ ସେ ଉକ୍ତ କ୍ଲବରେ ଯୋଗଦେବାକୁ ମନା କରିଦେଇଥିଲେ। ଏମିତିକି ଶଙ୍ଖ ଆର୍‌ଏସ୍‌ପି ପକ୍ଷରୁ ଆନ୍ତଃ ଇସ୍ପାତ କାରଖାନା ଫୁଟବଲ ପ୍ରତିଯୋଗିତା, ଆନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଖେଳିଥିଲେ। ଏତେସବୁ ଉପଲବ୍ଧି ସତ୍ତ୍ବେ ତାଙ୍କ ଉପରେ ସରକାରଙ୍କ କୃପାଦୃଷ୍ଟି ନ ପଡ଼ିବାରୁ ସେ ଏବେ ଜଣେ ଠିକାଦାରଙ୍କ ଅଧୀନରେ ରଙ୍ଗମିସ୍ତ୍ରି ଭାବେ କାର୍ଯ୍ୟରତ। ବୃଦ୍ଧ ବାପା-ମାଙ୍କ ସମେତ ୪ ଭାଇଙ୍କ ଭରଣପୋଷଣ ପାଇଁ ସେ ଏବେ ଫୁଟବଲ ଖେଳରେ ଡୋରୀ ବାନ୍ଧି ଦେଇଛନ୍ତି।

ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ହୋଇଥିବା ଅନ୍ୟତମ ଜାତୀୟ ଫୁଟବଲ ଖେଳାଳି ହେଉଛନ୍ତି ଝୀରପାଣି ପୁନର୍ବସତି କଲୋନି ନିବାସୀ କିଶୋର ତନ୍ତୀ। କିଶୋର ୧୯୯୨ ମସିହାରୁ ୨୦୦୭ ପର୍ଯ୍ୟନ୍ତ ଆନ୍ତଃ ଜିଲ୍ଲା, ଆନ୍ତଃ ଇସ୍ପାତ କାରଖାନା, ଫେଡେରେସନ କପ୍‌, କଳିଙ୍ଗ କପ୍‌‌ରେ ପ୍ରତିନିଧିତ୍ବ କରିଥିଲେ। ୧୯୯୮ ଓ ୨୦୦୨ ମସିହାରେ ସନ୍ତୋଷ ଟ୍ରଫି ଖେଳିଥିଲେ। ସେ କିଛି ବର୍ଷଧରି ଜୋବ୍ରା ଦୁର୍ଗା କ୍ଲବ(କଟକ) ପକ୍ଷରୁ ମଧ୍ୟ ଖେଳିଥିଲେ। ଅନ୍ୟ ପ୍ରତିଭାବାନ ଖେଳାଳିଙ୍କ ଭଳି ତାଙ୍କ ପାଖରେ ମଧ୍ୟ ସରକାରୀ ସହାୟତା ପହଞ୍ଚିପାରିନଥିଲା। ଫଳରେ ଭାଗ୍ୟକୁ ଆଦରି ସେ ୨୦୦୭ ମସିହାରେ ଫୁଟବଲରୁ ଅବସର ନେଇଥିଲେ। ବର୍ତ୍ତମାନ ପତ୍ନୀ ଝରଣା, ପୁଅ ରାହୁଲର ଭରଣପୋଷଣ ପାଇଁ ସେ ଦିନ ମଜୁରିଆଭାବେ କାର୍ଯ୍ୟରତ। ସେଣ୍ଟ୍ରିଂ କାମ‌ ପାଇଁ ଯିଏ ଡାକିଲା, ତାଙ୍କ ସହ କାମ କରନ୍ତି କିଶୋର।

ଶଙ୍ଖ ଓ କିଶୋରଙ୍କ ଭଳି ରାଉରକେଲା କଣ୍ଟାଧର ବସ୍ତି ନିବାସୀ ତୁଳସୀ ଏକ୍କାଙ୍କ ଭାଗ୍ୟ ମଧ୍ୟ ଫିଟିପାରିନି। ୧୯୯୫ରୁ ୨୦୦୫ ମସିହା ଯାଏଁ ସେ ପଡ଼ିଆକୁ ଓହ୍ଲାଇଥିଲେ। ଉକ୍ତ ସମୟରେ ସନ୍ତୋଷ ଟ୍ରଫି(୧୯୯୮-୯୯) ସମେତ ସେ ଦୁଇଥର ୧୯ ବର୍ଷରୁ କମ୍‌ ଓ ୨୧ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା, କଳିଙ୍ଗ କପ୍‌ରେ ରାଜ୍ୟର ପ୍ରତିନିଧିତ୍ବ କରିଥିଲେ। ଏତଦ୍‌ବ୍ୟତୀତ ସେ ଆର୍‌ଏସ୍‌ପି, ଜୋବ୍ରା ଦୁର୍ଗା କ୍ଲବ(କଟକ), ସି.ପି. କ୍ଲବ(କୋଲକତା) ପକ୍ଷରୁ ମଧ୍ୟ ଖେଳିଥିଲେ।‌ ତେବେ ଏକାଧିକ କୃତିତ୍ବ ସତ୍ତ୍ବେ ତାଙ୍କ ଉପରେ ରାଜ୍ୟ ସରକାର କିମ୍ବା ଆର୍‌ଏସ୍‌ପିର ଶୁଭଦୃଷ୍ଟି ପଡ଼ିପାରିନଥିଲା। ଫଳରେ ସେ ବର୍ତ୍ତମାନ ଜଣେ ପାଇପ୍‌ ମିସ୍ତ୍ରିଭାବେ ଗୁଜୁରାଣ ମେଣ୍ଟାଉଛନ୍ତି। ଦିନସାରା ବୁଲିବୁଲି କାମ କରିବାପରେ ଯାହା ମିଳୁଛି, ସେଥିରେ ପତ୍ନୀ ଅନୀତା ଓ ଝିଅ ଅନନ୍ୟାଙ୍କ ଭରଣପୋଷଣରେ ଲଗାଉଛନ୍ତି। ଏହି ତିନି ଖେଳାଳିଙ୍କ ଭାଗ୍ୟ ପ୍ରାୟ ଏକା ପ୍ରକାର। ଗୋଲ୍‌ପରେ ଗୋଲ୍‌ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାମୀଦାମୀ ଫୁଟବଲ କ୍ଲବ ପକ୍ଷରୁ ଖେଳିବାର ନିମନ୍ତ୍ରଣ ବି ପାଇଥିଲେ। କିନ୍ତୁ ଓଡ଼ିଶାକୁ ପ୍ରତିନିଧିତ୍ବ କରିବାର ସଦିଚ୍ଛା ଓ ଓଡ଼ିଶାରେ ରହି ଫୁଟବଲର ବିକାଶ ପାଇଁ ପ୍ରୟାସ ଜାରି ରଖିବାର ମହତ ଉଦ୍ଦେଶ୍ୟ ଯୋଗୁ ସେମାନେ ଲୋଭନୀୟ ଅଫର୍‌ଗୁଡ଼ିକୁ ସହୃଦୟତାର ସହ ଏଡ଼ାଇ ଦେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ସେମାନଙ୍କୁ ପ୍ରୋତ୍ସାହନ ମିଳିନଥିଲା; ଫଳରେ ଏବେ ଦିନମଜୁରିଆଭାବେ କାଳାତିପାତ କରୁଛନ୍ତି।

ସମ୍ବନ୍ଧିତ ଖବର