ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏବେ ଯବାନ ଜଂଗଲରେ ଦିନରାତି ଏକ କରି ନକ୍ସଲଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ସୁକମା ଜିଲ୍ଲାର ଜେବେଲୀ, ରାସାତୋଙ୍ଗ, ସିଙ୍ଗାରାମ ସମେତ ଆଖପାଖ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଯବାନଙ୍କୁ ଦେଖି କିଛି ଲୋକ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଯବାନ ଜଂଗଲକୁ ଘେରି ଦୁଇ ଜଣକୁ କାବୁ କରିଥିଲେ। ପରେ ଏମାନଙ୍କୁ ଧରି ପଚରାଉଚରା କରିବା ପରେ ଜଣେ ସିଏନଏମ କମାଣ୍ଡର କାବାସି ପୋଜ୍ଜା(୪୦) ଏବଂ ଅନ୍ୟ ଜଣେ ମିଲିସିଆ ପ୍ଲାଟୁନ କମାଣ୍ଡର ତାତି ଅରଫ ମାଡକମ ପୋଜ୍ଜା(୩୫) ବୋଲି ଜଣାପଡ଼ିଥିଲା।

Advertisment

ଏମାନଙ୍କ ମଧ୍ୟରୁ କାବାସି ପୋଜ୍ଜା ନାମରେ ସରକାର ୧ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନଙ୍କ ଠାରୁ ପୁଲିସ ଟିଫିନ ବୋମା, ଜିଲୋଟିନ ଷ୍ଟିକ, ବିଦ୍ୟୁତ ତାର ଜବତ କରିଛି। ବହୁ ଘଟଣାରେ ଏମାନେ ସାମିଲ ଥିବା ପୁଲିସ କହିଛି। ଅନ୍ୟ ଏକ ଘଟଣାରେ ଗୋଲାପାଲୀ ଥାନା ଅଂଚଳର ଥାନା ଅଧିକାରୀ ପ୍ରତାପ ସିଂ ସମେତ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଧରି ପଚରାଉଚରା କରିବା ପରେ ସେ ନକ୍ସଲ ସଂଗଠନରେ କାମ କରୁଥିବା କହିଥିଲା। ନିଜ ନାମ ତୁଷାର ଏଙ୍କା ବୋଲି କହିଥିଲା। ସେ ମିଲିସିଆ ଭାବେ କାମ କରୁଥିବା ସ୍ବୀକାର କରିଥିଲା।ଏମାନଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।