ମାଲକାନଗିରି ପୁଲିସ ନିକଟରେ ୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ମାଲକାନଗିରି ପୁଲିସ ନିକଟରେ ୩ ଜଣ ଛତିଶଗଡ଼ର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ତିନି ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେମାନେ ହେଲେ କୋଣ୍ଟା ଏରିଆ କମିଟିର ସଦସ୍ୟ ଦେବା ମାଡବି(୧୮), ଆଡମା ମାଡକାମୀ(୨୪) ଏବଂ ମୁକ୍କା ସୋଡି(୨୫)। ଏମାନେ ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଏରିଆ କମିଟି ପାଇଁ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ଦେବା ୨୦୨୦ରେ ମାଓବାଦୀ ସଂଗଠନରେ ଜଡିତ ହୋଇଥିବା ବେଳେ ଆଡମା ୨୦୧୯ ଏବଂ ମୁକ୍କା ୨୦୧୮ ମସିହାରେ ପାର୍ଟିରେ ଜଡିତ ହୋଇଥିଲେ। ଲଗାତାର ମାଲକାନଗିରି ଏବଂ ଛତିଶଗଡର ସୁକମା ପୁଲିସ ତରଫରୁ ଘନ ଘନ ଚଢାଉରେ ଏମାନେ ଭୟଭୀତ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ଚଢାଉରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଭୟରେ ବହୁ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ପୁଣି ଛତିଶଗଡ଼ ଏବଂ ଆନ୍ଧ୍ର ନକ୍ସଲଙ୍କ ଦ୍ବାରା ନିର୍ଯାତିତ ହୋଇ ସଂଗଠନ ଛାଡୁଛନ୍ତି। ତେବେ ଆନ୍ଧ୍ରଓଡିଶା ବଡର ଡିଭିଜନ ଏବଂ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଡିଭିଜନର ମାଓ ନେତାମାନେ ପାର୍ଟିରୁ ସଦସ୍ୟ ଓ ସଦସ୍ୟାମାନେ ବାହାରିଗଲେ ସେମାନଙ୍କୁ ହତ୍ୟା କରାଯିବା ସହ ତାଂକ ପରିବାରକୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦେଉଥିବାରୁ ବହୁ ନକ୍ସଲ ଆତ୍ମସମର୍ପଣ କରିପାରୁନଥିବା ପୁଲିସ କହିଛି। ତେବେ ଏଥିରେ ଭୟ ନକରି ମୁଖ୍ୟସ୍ରୋତରେ ସାମିଲ ହେଲେ ପୁଲିସ ସମସ୍ତ ସହଯୋଗ କରିବ ବୋଲି କହିଛି। ପୁଣି ମାଓ ସଂଗଠନରେ ଜଡିତ ହୋଇ କୌଣସି ଉନ୍ନୟନ କାମରେ ସେମାନେ ସହଯୋଗ କରିପାରୁନଥିବା ଏମାନେ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର