ଯାଜପୁରରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮

ଯାଜପୁର : ଯାଜପୁରରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ। ଫଳରେ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୨ ଛୁଇଁ ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮ ହୋଇଛି। ତେଣେ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧,୬୯୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୨୮ଟି ପଜିଟିଭ୍ ଚିହ୍ନଟ ହୋଇଛି।

ବୁଧବାର ବିଳମ୍ବିତ ରାତିରେ ଯାଜପୁରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଜଣେ ଦଶରଥପୁର ବ୍ଲକର ଡାହାଣହତା ପଞ୍ଚାୟତ ଦେଓପଦାର ୬୫ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ସେ ନିକଟରେ କୋଲକାତାରୁ ଫେରିଥିଲେ। ସେହିପରି ଉକ୍ତ ବ୍ଲକର କଟିକଟା ପଞ୍ଚାୟତରେ ଅନ୍ୟ ଦୁଇ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କି ଏଠାରେ ଚିହ୍ନଟ ହୋଇଥିବା ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ। ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ଓ ଯାଜପୁର ଜିଲ୍ଲା ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ବଜାୟ ରହିଛି।

ସୂଚନାଯୋଗ୍ୟ ଯେ, ଗତକାଲି କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ୩ ନୂଆ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଏହାକୁ ମିଶାଇ ରାଜ୍ୟର ମୋଟ ୧୪ ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛି। ଏହା ବ୍ୟତୀତ ଗତକାଲି ବାଲେଶ୍ବର ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି। ଅନ୍ୟପକ୍ଷ‌ରେ ୧୪ଦିନ ପରେ ରାଜଧାନୀରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୭୭ବର୍ଷର ଏହି ବ୍ୟକ୍ତି ଜଣକ ପୂର୍ବରୁ କରୋନା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ରାଜ୍ୟରେ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଥିବା ବେଳେ ବୁଧବାର ରାଜଧାନୀର ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ। ରାଜ୍ୟରେ ଗତକାଲି ନୂଆ ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଛି ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲା। ଏହି ଜିଲ୍ଲାରୁ  ୩ଜଣ ପଶ୍ଚିମବଙ୍ଗ ଫେରନ୍ତା  ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ପଞ୍ଚପଲ୍ଲୀର ଜଣେ ୬୦ବର୍ଷର ପୁରୁଷ, ଦେବଗଡ଼ ବାସୁଦେବପୁରର ୩୪ବର୍ଷର ପୁରୁଷ ଓ ଝାରସୁଗୁଡ଼ା ବ୍ରଜରାଜନଗରର ୧୮ବର୍ଷର ଯୁବତୀ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର