ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତିଙ୍କ ଶପଥଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏସ.ନାଇଡୁ, ଜଷ୍ଟିସ ରଘୁବୀର ଦାଶ, ଜଷ୍ଟିସ ଜେ.ପି.ଦାସ, ଆଡଭେକେଟ ଜେନେରାଲ ଅଶୋକ କୁମାର ପରିଜା, ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପ୍ରତୀକ ସିଂ, ସିଏମସି କମିସନର ଅନନ୍ୟା ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୧୯୭୧, ସେପ୍ଟେମ୍ବର ୭ରେ ଜନ୍ମିତ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ ୧୯୯୯ରେ ଆଇନ ପେସାରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ପୂର୍ବତନ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତିଙ୍କ ସହଯୋଗୀ ଭାବେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୫ରେ ରାଜ୍ୟ ସରକାର ତାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ(ଏଏସସି) ଏବଂ ୨୦୧୪ରେ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ ନିଯୁକ୍ତ କରିଥିଲେ। ଏଜିଏ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।

ଜଷ୍ଟିସ୍ ରାଧାକ୍ରିଷ୍ଣ ପଟ୍ଟନାୟକ ୧୯୭୦, ଅକ୍ଟୋବର ୨୫ରେ ଜନ୍ମଗ୍ରହଣ କରିଥିଲେ। ଜଷ୍ଟିସ ଏ.ଏସ.ନାଇଡୁଙ୍କ ସହଯୋଗୀ ଭାବେ ସେ ହାଇକୋର୍ଟରେ ଓକିଲାତି କରିଥିଲେ। ୧୯୯୯ ସେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ସିଭିଲ ଜଜ୍ ପଦବିରୁ ଇସ୍ତଫା ଦେଇ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ୨୦୦୯, ଡିସେମ୍ବର ୨୮ରେ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରେ ଜିଲ୍ଲା ଜଜ୍, ହାଇକୋର୍ଟରେ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟ କରିବା ପରେ ସେ ଆଇନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।

ସେହିଭଳି ୧୯୬୭, ଜାନୁଆରି ୧୭ରେ ଜନ୍ମିତ ଜଷ୍ଟିସ ଶଶିକାନ୍ତ ମିଶ୍ର ବରିଷ୍ଠ ଆଇନଜୀବୀ ନରେନ୍ଦ୍ର କିଶୋର ମିଶ୍ରଙ୍କ ସହଯୋଗୀ ଭାବେ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୯, ଡିସେମ୍ବର ୨୮ରେ ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ, କେନ୍ଦୁଝର ଜିଲ୍ଲା ଜଜ୍ ଓ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିବା ପରେ ଗଞ୍ଜାମ ଜିଲ୍ଲା ଜଜ୍ ଭାବେ ସେ ନିଯୁକ୍ତି ପାଇଥିଲେ। ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ।

ସମ୍ବନ୍ଧିତ ଖବର