ନୂଆଦିଲ୍ଲୀ/କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ତିନି ଜଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ବୁଧବାର ଦିନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧, ସେପ୍ଟେମ୍ବର ୨୯ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ, ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କ ନାଁ ସୁପାରିସ କରିଥିଲା। ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ମହେଶ୍ବର ସାହୁ ଓ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ମେନକା ପାଣିଙ୍କ ପୁତ୍ର ମୃଗାଙ୍କ ଶେଖର ସାହୁ ୧୯୭୧, ସେପ୍ଟେମ୍ବର ୭ରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ସ୍ବର୍ଗତ ମେଜର ଶ୍ୟାମସୁନ୍ଦର ସାହୁ ଓ ଉର୍ମିଳା ସାହୁଙ୍କ ଜାମାତା। ୧୯୮୫ରେ ବୋର୍ଡ ହାଇସ୍କୁଲରୁ ସେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କରିଥିଲେ। ରେଭେନ୍ସାରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ୧୯୯୦ରେ ରସାୟନ ବିଜ୍ଞାନ ସମ୍ମାନରେ ବିଏସ୍ସି ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ୧୯୯୨ରେ ଏମ୍ଏସ୍ସି ପାସ୍ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନସ୍ଥ କ୍ୟାମ୍ପସ୍ ଲ ସେଣ୍ଟର୍ରୁ ଏଲଏଲବି ଡିଗ୍ରି ହାସଲ କରି ୧୯୯୯ରେ ଆଇନ ପେସାରେ ଯୋଗ ଦେଇଥିଲେ।
ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ପୂର୍ବତନ ଆଡଭୋକେଟ୍ ଜେନେରାଲ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତିଙ୍କ ସହଯୋଗୀ ଭାବେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ(ଏଏସ୍ସି) ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏଏସ୍ସି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୪ରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ ନିଯୁକ୍ତି ମିଳିଥିଲା। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ। ଏଜିଏ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ।
୧୯୭୦, ଅକ୍ଟୋବର ୨୫ରେ ରାଧାକ୍ରିଷ୍ଣ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ। ସେ ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ୨୦୦୯, ଡିସେମ୍ବର ୨୮ରେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ସେହିଭଳି ୧୯୬୭, ଜାନୁଆରି ୧୭ରେ ଶଶିକାନ୍ତ ମିଶ୍ର ଜନ୍ମଗ୍ରହଣ କରିଥିଲେ। ସେ ୨୦୦୯, ଡିସେମ୍ବର ୨୮ରେ ସିଧାସଳଖ ଜିଲ୍ଲା ଜଜ୍ ପାହ୍ୟାରେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଜଜ୍ ଭାବେ ଶ୍ରୀ ମିଶ୍ର କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/highourt-jurdge.jpg)