ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝରଗଡ଼, ବାଙ୍ଗିରିପୋଷି-ଗୋରୁମହିଷାଣୀ ଓ ବୁଡାମରା-ଚାକୁଳିଆ ରେଳଲାଇନ ନିର୍ମାଣ ପାଇଁ ବିସ୍ତୃତ ସୂଚନା ହସ୍ତଗତ ହୋଇଛି। ଏହି ୩ଟି ଯାକ ପ୍ରକଳ୍ପର ବିସ୍ତୃତ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ ଅନୁମୋଦନ ଅପେକ୍ଷାରେ ରହିଛି। ୨୦୨୩ ନଭେମ୍ବର ୨୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏହି ତିନୋଟି ରେଳ ରୁଟ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ରେଳମନ୍ତ୍ରୀ ମଧ୍ୟ ଏନେଇ ପ୍ରତିଶ୍ରୁତି ଦେଇଥିଲେ।
Advertisment
ବୁଡାମରା-ଚାକୁଳିଆ ୫୯,୯୬ କିଲୋମିଟର ଦୈର୍ଘ୍ୟର ନୂତନ ବ୍ରଡଗଜ ରେଳ ଲାଇନ ପାଇଁ ୧୪୫୯.୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ରୁଟରେ ଦୁଇଟି ପୁରୁଣା ରେଳ ଷ୍ଟେସନ ସହ ନୂତନ ୫ଟି ରେଳ ଷ୍ଟେସନ ରହିବ। ସେଗୁଡିକ ମଧ୍ୟରେ ଓଡ଼ିଶା ସୀମାରେ ବୁଡାମରା( ପୁରୁଣା ଷ୍ଟେସନ ଓ ପ୍ରସ୍ତାବିତ ଜଙ୍କସନ), ଝାରପୋଖରିଆ, ନ୍ୟୁ ଜାମଶୋଳା ଓ ଝାଡଖଣ୍ଡ ସୀମାରେ ଥିବା ବହଡାଗୋଡା, ବରୋଲ, ପୁରୁଣାପାଣି ଓ ଚାକୁଳିଆ ଷ୍ଟେସନ ରହିବ। ଏହି ରେଳ ଲାଇନରେ ୭ ଟି ରୋଡ ଓଭର ବ୍ରିଜ, ଗୋଟିଏ ମୁଖ୍ୟ ବ୍ରିଜ, ୭ଟି ମେଜର ବ୍ରିଜ, ୫୪ଟି ମାଇନର ବ୍ରିଜ୍, ୪୧ଟି ଆରୟୁବି ଓ ଗୋଟିଏ ଆରଓଆର ରହିବ। ଏହି ରେଳ ଲାଇନ ନିର୍ମାଣ ପାଇଁ ୪୬୨,୫୨ହେକ୍ଟର ଜମି ଆବଶ୍ୟକ। ଏହି ରୁଟରେ ନିୟମିତ ଦୁଇଟି ମେମୁ ଟ୍ରେନ ଚଳାଚଳ କରିବ। ୫ ବର୍ଷରେ ରୁଟ ନିର୍ମାଣ ହେବ। ଏହି ରେଳ ଲାଇନ ଦ୍ବାରା ରୂପସା-ବାଙ୍ଗରିପୋଷି ସେକ୍ସନର ବୁଡାମରା ଓ ଖଡଗପୁର- ଟାଟାନଗର ସେକ୍ସନ ହାଓଡା-ମୁମ୍ବାଇ ଟ୍ରଙ୍କ ରୁଟକୁ ସଂଯୋଗ ହେବ।
ବାଙ୍ଗିରିପୋଷି -ଗୋରୁମହିଷାଣୀ ୮୫୬ କିଲୋମିଟର ଦୈର୍ଘ୍ୟର ନୂତନ ବ୍ରଡ ଗଜ ରେଳ ଲାଇନ ପାଇଁ ୨୨୬୯.୪୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏଥ‌ିରେ ଦୁଇଟି ପୁରୁଣା ରେଳ ଷ୍ଟେସନ ସହ ନୂତନ ଛଅଟି ଷ୍ଟେସନକୁ ମିଶାଇ ମୋଟ ୮ଟି ଷ୍ଟେସନ ରହିବ। ସେଗୁଡିକ ମଧ୍ୟରେ ଓଡ଼ିଶା ସୀମାରେ ବାଙ୍ଗିରିପୋଷି, ଚାନ୍ଦବିଲ, ଛରାବନ୍ଧ, ବିଶୋଇ,ବାଙ୍କି, ପତୁରା, ନିୟୁ ରାଇରଙ୍ଗପୁର ଓ ଗୋରୁମହିଷାଣୀ, ଏହିପରି ୮ ଟି ଷ୍ଟେସନ ରହିବ । ଏହି ରେଳ ଲାଇନରେ ୧୪ ଟି ରୋଡ ଓଭର ବ୍ରିଜ, ଗୋଟିଏ ମୁଖ୍ୟ ବ୍ରିଜ,୧୨ଟି ମେଜର ବ୍ରିଜ,୧୦୯ଟି ମାଇନର ବ୍ରିଜ୍, ୬୨ଟି ଆରୟବି,ଗୋଟିଏ ଆରଓଆର ଓ ୮ଟି ଭାୟା ଡିୟୁସିଟିଏସ ରହିବ । ଏହି ରେଳ ଲାଇନରେ ତିନୋଟି ଟନେଲ ନିର୍ମାଣ ହେବ। ଏହି ରେଳ ଲାଇନ ନିର୍ମାଣ ପାଇଁ ୫୬୭,୪୫ ହେକ୍ଟର ଜମି ଆବଶ୍ୟକ। ଏହି ରୁଟରେ ଗୋଟିଏ ମେମୁ ଟ୍ରେନ ଚଳାଚଳ କରିବ। ୫ ବର୍ଷରେ ରୁଟ ତିଆରି ହେବ।
ସେହିପରି ବାଦାମପାହାଡ଼-କେନ୍ଦୁଝରଗଡ଼ ୮୨.୦୬ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ପାଇଁ ୧୮୭୫ ୭୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏଥିରେ ଦୁଇଟି ପୁରୁଣା ରେଳ ଷ୍ଟେସନ ସହ ନୂତନ ଛଅଟି ଷ୍ଟେସନକୁ ମିଶାଇ ମୋଟ ୮ ଟି ଷ୍ଟେସନ ରହିବ। ଓଡ଼ିଶା ସୀମାରେ ବାଦାମପାହାଡ, କଳସବନ୍ଧ, ଟଙ୍ଗାବିଲା, ସିଙ୍ଗଡା, ଘୋଷଡା, ବେମଣା, ଖୀରଟାଙ୍ଗରୀ ଓ କେନ୍ଦୁଝର, ଏହିପରି ୮ ଷ୍ଟେସନ ରହିବ। ଏହି ରେଳ ଲାଇନରେ ୧୮ ଟି ରୋଡ ଓଭର ବ୍ରିଜ, ଗୋଟିଏ ମୁଖ୍ୟ ବ୍ରିଜ, ୮ଟି ମେଜର ବ୍ରିଜ, ୬୨ଟି ମାଇନର ବ୍ରିଜ୍, ୪୩ଟି ଆରୟୁବି ରହିବ। ଏହି ରେଳ ଲାଇନ ନିର୍ମାଣ ପାଇଁ ୫୦୬, ୬୯ ହେକ୍ଟର ଜମି ଆବଶ୍ୟକ ହେବ। ଏହି ରୁଟରେ ଗୋଟିଏ ମେମୁ ଟ୍ରେନ ଚଳାଚଳ କରିବ । ୫ ବର୍ଷରେ ଏହି ରେଳ ରୁଟର କାମ ସରିବ ବୋଲି ସୂଚନା ମିଳିଛି।