ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ଦଳ (ବିଜେପି)ରେ ସାମିଲ ହୋଇଥିବା ଓଲିଉଡ୍ର ୩ ନାୟକଙ୍କୁ ପ୍ରଚାର ତାଲିକାରେ ସ୍ଥାନ ମିଳିପାରି ନାହିଁ। ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିବା ଓଲିଉଡ୍ ଷ୍ଟାରଙ୍କୁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ନାହିଁ। ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ୍ ଷ୍ଟାରଙ୍କୁ ବିଜେପି ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ନାହିଁ।
ଗଂଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ ତଥା ଲୋକପ୍ରିୟ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଯାଜପୁର ଜିଲ୍ଲା କୋରେଇରୁ ପ୍ରାର୍ଥୀ ଆକାଶ ଦାସ ନାୟକଙ୍କୁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କି ନାହିଁ। ଉଭୟ ଅଭିନେତାଙ୍କୁ ବିଜେପି ଟିକେଟ୍ ଦେଇଥିଲେ ବି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନାହିଁ। ସେହିପରି ଓଲିଉଡ୍ ଷ୍ଟାର ଅରିନ୍ଦମ ରାୟଙ୍କୁ ମଧ୍ୟ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନାହିଁ। ତାଙ୍କୁ କୌଣସି ଆସନରୁ ନିର୍ବାଚନ ଟିକେଟ୍ ମଧ୍ୟ ଦେଇନାହିଁ ବିଜେପି। ଏବେ ବି ବିଜେପିରେ ଅରିନ୍ଦମଙ୍କ ଟିକେଟ୍ ଆଶା, ଆଶଙ୍କାରେ ରହିଛି।
ସୂଚନାଯୋଗ୍ୟ, ବିଜେପି ଆଜି ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ଏମାନେ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ବିଜୟ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ମୋହନ ଯାଦବ, ଆସାମର ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ର ବିଷ୍ଣୁଦେବ ସାୟ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ, ସ୍ମୁତି ଇରାନୀ, ଭୁପେନ୍ଦ୍ର ଯାଦବ, ସୁନୀଲ ବଂସଲ, ସମ୍ବିତ ପାତ୍ର, ଶାନ୍ତନୁ ଠାକୁର, କେଦାରନାଥ କଶ୍ୟପ, ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ବ୍ୟତୀତ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଗୋଳକ ପ୍ରସାଦ ମହାପାତ୍ର, ସାରଦା ପ୍ରସାଦ ସତପଥୀ, ରମେଶ ସାହୁଙ୍କ ସହିତ ଅଭିନେତା ଅନୁଭବ ମହାନ୍ତି, ହରିହର ମହାପାତ୍ର, ଶ୍ରୀତମ ଦାସ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି।