ହାଇଦ୍ରାବାଦରେ ଓଡ଼ିଆ ପରିବାରର ୩ ମୃତ

ବିଦ୍ୟୁତ୍‌ ଆଘାତରେ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ଝିଅ
ଘରେ ନଥିବାରୁ ବର୍ତ୍ତିଗଲା ୮ ବର୍ଷର ବଡ଼ ଝିଅ
ଯାଜପୁରର ବିଂଝାରପୁରରେ ଶୋକର ଛାୟା

ଯାଜପୁରସଦର : ହାଇଦ୍ରାବାଦଠାରେ ୩ ଜଣ ପ୍ରବାସୀ ଓଡ଼ିଆଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଯାଜପୁର ଜିଲ୍ଲା ବରପଦା ପଞ୍ଚାୟତ ବିଦାପଡ଼ା ଗ୍ରାମର ବାସୁଦେବ ମଲ୍ଲିକ, ତାଙ୍କ ପତ୍ନୀ ରିନା ଓ ସାନଝିଅ ବିଶ୍ବଶ୍ରୀ। ଏହି ଦୁର୍ଘଟଣାରୁ ବାସୁଦେବଙ୍କ ଆଠବର୍ଷର ବଡ଼ଝିଅ ଅଳ୍ପକେ ରକ୍ଷା ପାଇଯାଇଛି। ହାଇଦ୍ରବାଦଠାରେ ମୃତକମାନଙ୍କର ଶେଷକୃତ୍ୟ ହୋଇଥିବାବେଳେ ବିଦାପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।

ବିଦାପଡ଼ା ଗ୍ରାମର ବାସୁଦେବ ହାଇଦ୍ରାବାଦଠାରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗତ ୨୭ ତାରିଖରେ ସେ କାମକୁ ଯିବାପାଇଁ ଗାଧୋଇବା ପରେ ଭଡ଼ାଘରର ବାଲକୋନିରେ ଲୁଗା ଶୁଖାଉଥିଲେ। ଏହି ସମୟରେ ସେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପତ୍ନୀ ରିନା ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେ ଓ ତାଙ୍କ ସାନଝିଅ ମଧ୍ୟ ସ୍ବାମୀଙ୍କ ସହ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେମାନଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ବଡ଼ଝିଅ ଶୁଭଶ୍ରୀ ଟିଉସନ୍‌ ଯାଇଥିବାରୁ ଏହି ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା। ପରଦିନ ଏସମ୍ପର୍କରେ ପଡ଼ୋଶୀମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘରେ ଥିବା ବାସୁଦେବଙ୍କ ବାପାମା’ ଓ ଅନ୍ୟ ସମ୍ପର୍କୀୟମାନେ ଖବର ପାଇବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର