ସୁରତରେ ଟ୍ରେନ୍‌ ଟିକେଟ୍‌ କଳାବଜାର : ଡାଇମଣ୍ଡ୍‌ ନଗରରେ ପୁଣି ଉତ୍ତେଜନା, ଲସ୍‌କଣା ଥାନା ସମ୍ମୁଖରେ ବିକ୍ଷୋଭ

ପୁଲିସ ମାଡ଼ରେ ୩ ଓଡ଼ିଆ ଯୁବକ ଲହୁଲୁହାଣ

ବ୍ରହ୍ମପୁର : ସୁରତରୁ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ନିଜ ଭିଟାମାଟିକୁ ଫେରୁଛନ୍ତି।‌ ରୋଜଗାର ହରାଇ ଦୟନୀୟ ଅବସ୍ଥାରେ ମାସାଧିକ କାଳ ସେଠାରେ ପଡ଼ି ରହିବା ପରେ ଜନ୍ମମାଟିକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଟ୍ରେନ୍‌ ଟିକେଟ କିଣିବା ବେଳେ ଦଲାଲ୍‌ଙ୍କ ଶୋଷଣର ଶିକାର ହେଉଛନ୍ତି। ଟ୍ରେନ୍‌ ଟିକେଟ୍‌ କଳାବଜାର ଓ ଟିକେଟ୍‌ ନ ପାଇବା କାରଣରୁ ସୁରତର ଡାଇମଣ୍ଡ୍‌ନଗର ଓ ଲସ୍‌କଣା ଅଞ୍ଚଳରେ ଓଡ଼ିଆ ଶ୍ରମିକ ତାତିଛନ୍ତି। ସେଠାରେ ଆଜି ଅଭାବନୀୟ ପରିସ୍ଥିତି ଉପୁଜିଛି। ଶହ ଶହ ସଂଖ୍ୟାରେ ଓଡ଼ିଆ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ରାଲିରେ ଯାଇ ଲସ୍‌କଣା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ଏବଂ ଉତ୍ତ୍ୟକ୍ତ ପ୍ରବାସୀ ଓଡ଼ିଆ ମୁହାଁମୁହିଁ ହୋଇଛନ୍ତି। ସୁରତ ପୁଲିସର ଲାଠି ମାଡ଼ରେ ୩ଜଣ ଓଡ଼ିଆ ଯୁବକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ସୁରତରେ ଓଡ଼ିଶାର ୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ସୂତାକଳ, ହୀରାକଟା ଓ ପଲିସ୍‌ ଫ୍ୟାକ୍ଟ୍ରିରେ କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି। କରୋନାକୁ ନେଇ ମାର୍ଚ୍ଚ ୨୨ରେ ଦେଶ ‌ଲକ୍‌ଡାଉନ୍‌ ହେବା ପରେ ସୁରତର ସୂତାକଳଗୁଡ଼ିକରେ ତାଲା ଝୁଲୁଛି। ରୋଜଗାର ହରାଇ ଓଡ଼ିଆ ଶ୍ରମିକମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ଏହାକୁ ନେଇ ସୁରତର ବିଭିନ୍ନ ଅଞ୍ଚଳରେ ଗଣ୍ଡଗୋଳ, ଆଇନଶୃଂଖଳା ପରିସ୍ଥିତି ଉପୁଜିଥିଲା। ତେବେ ଲକ୍‌ଡାଉନ୍‌ କୋହଳ ପରେ ଗତ ୩ତାରିଖରୁ ସୁରତରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଅନେକ ଓଡ଼ିଶା ଫେରୁଛନ୍ତି। କିନ୍ତୁ ଲୋକଙ୍କୁ ଠିକ୍‌ ଭାବେ ଟିକେଟ୍‌ ମିଳୁନାହିଁ। ଟିକେଟ୍‌ ଦେବାରେ ମୁହଁଦେଖା କାରବାର ହେଉଥିବାରୁ ଦୁଇ ମାସ ପରେ ବି ଅନେକ ଫେରିପାରି ନାହାନ୍ତି। ଏଣେ ୭୧୦ ଟଙ୍କାର ଟିକେଟ୍‌ ହଜାରରେରୁ ୧୨ଶହ ଟଙ୍କା ଏଭଳିକି ୧୫ଶହ ଟଙ୍କାରେ ବିକ୍ରି ହେଉଛି। ରେଳ ବିଭାଗ କାଉଣ୍ଟର୍‌ରେ ଟିକେଟ ବିକ୍ରି ନ କରି ସେଠାକାର କିଛି ‌ସଂଗଠନଙ୍କୁ ଦାୟିତ୍ବ ଦେଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ଟିକେଟ୍‌ କଳାବଜାରକୁ କେନ୍ଦ୍ର କରି ସୁରତର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।

ଡାଇମଣ୍ଡ୍‌ନଗର ଓ ଲସକଣା ଅଞ୍ଚଳର ୧୨ଶହ ଲୋକ ଏକ ସଂସ୍ଥାକୁ ୨ତାରିଖରେ ଟିକେଟ ଲାଗି ଟଙ୍କା ଦେଇଥିଲେ। ଉକ୍ତ ସଂସ୍ଥା ୮ତାରିଖରେ ଟିକେଟ ଦେବ ବୋଲି କହିଥିଲା। ୭ତାରିଖରେ ଟିକେଟ କନ୍‌ଫର୍ମ ହୋଇଥିବା ଜଣାଇ ଦିଆ ଯାଇଥିଲା। ଲୋକଙ୍କୁ ଷ୍ଟେସନ୍‌କୁ ଯିବା ଲାଗି ବସ୍‌ ପାସ୍‌ ବି ଦିଆ ଯାଇଥିଲା। କିନ୍ତୁ ‌ଶେଷ ମୁହୂର୍ତ୍ତରେ ଟିକେଟ ହୋଇପାରି ନ ଥିବା ଜଣାଇ ଦିଆଗଲା। ସେଥିରୁ କିଛି ପରିବାର ଭଡ଼ା ଘର ନେଇ ରହୁଥିବା ଘର ଛାଡ଼ି ସାରିଥିଲେ। କିଛି ଲୋକ ମେସ୍‌ର ହିସାବ ତୁଟାଇ ଖାଇବା ବନ୍ଦ କରି ଦେଇଥିଲେ। ଟ୍ରେନ୍‌ ଟିକେଟ୍‌ ନ ମିଳିବା ଫଳରେ କିଛି ପରିବାର ଲସ୍‌କଣା ଓଭରବ୍ରିଜ ତଳେ ରହୁଛନ୍ତି। ଟିକେଟ ନ ପାଇ ଅସନ୍ତୋଷ ଭିତରେ ଗତି କରୁଥିବା ଶହ ଶହ ଓଡ଼ିଆ ଆଜି ଅପରାହ୍ନ ୧ଟା ବେଳେ ରାଜରାସ୍ତାକୁ ଓହ୍ଲାଇଥିଲେ। ହଜାରେରୁ ଊର୍ଦ୍ଧ୍ବ ଲୋକ ଲସ୍‌କଣା ଫାଣ୍ଡି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୁରତର ଓଡ଼ିଆମାନେ ଅଭିଯୋଗ କରିଛନ୍ତି, ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟକୁ ପ୍ରତ୍ୟହ ଗୁଜରାଟରୁ ୮ରୁ ୧୦ଟି ଲେଖାଏଁ ଟ୍ରେନ୍‌ ଯାଉଛି। କିନ୍ତୁ ଗୁଜରାଟରୁ ଓଡ଼ିଶା ପ୍ରତ୍ୟହ ଦୁଇରୁ ୩ଟି ଟ୍ରେନ୍‌ ଛଡ଼ାଯାଉଛି। ଏହାଦ୍ବାରା ପିଲାଛୁଆ ଧରି ଅଟକି ରହିଥିବା ହଜାର ହଜାର ଓଡ଼ିଆ ଫେରିପାରୁ ନାହାନ୍ତି। ଓଡ଼ିଶା ଫେରିବା ଲାଗି ପଞ୍ଜୀକରଣ କରିଥିବା ଗୁଜରାଟର ଓଡ଼ିଆଙ୍କ ପାଇଁ ସମୁଦାୟ ୮୫ଟି ଟ୍ରେନ ଦରକାର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦ରୁ ୨୨ଟି ଟ୍ରେନ ଛାଡ଼ିଛି। ସେଥିରେ ସୁରତରୁ ୧୫ଟି ଛାଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି। ରେଳ ବିଭାଗ ନିଜେ ଟିକେଟ ବିକ୍ରି କରିବାକୁ ଏବଂ ଅଧିକ ଟ୍ରେନ୍‌ ଚଳାଚଳ ଲାଗି ସୁରତ ଓଡ଼ିଆମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର