କୋବି ତରକାରିରେ ବିଷ ଘଟଣା : ଆଖି ବୁଜିଲେ ମାଆ, ଏକାଠି ଜଳିଲା ତିନି ଜୁଇ

ବ୍ରହ୍ମପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ପାନ୍ଥନିବାସ ସାହିରେ ଖାଦ୍ୟରେ ବିଷ ଯୋଗୁଁ ଗତକାଲି ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ମାଆ କୁମାରୀ ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ତିନି ଜଣଙ୍କ ମୃତଦେହକୁ ବାନାମ୍ବର ପ୍ରଧାନଙ୍କ ପୈତୃକ ଗାଁ ଆର.ବାହାଡ଼ାପଲ୍ଲୀ ନିଆଯାଇ ତିନି ଜଣଙ୍କ ଏକାଠି ଅନ୍ତିମ ସଂସ୍କାର କରାଯାଇଛି। ତେବେ କେମିତି ଓ କିଭଳି ଭାବେ ସେମାନଙ୍କ ଖାଦ୍ୟରେ ବିଷକ୍ରିୟା ହେଲା ତାହା କେହି କହିପାରୁ ନାହାନ୍ତି।

ଏ ସମ୍ପର୍କରେ ବଡ଼ ମେଡିକାଲ ଏଫ୍‌ଏମ୍‌ଟି ବିଭାଗ ଆସୋସିଏଟ୍‌ ପ୍ରଫେସର ଡା.କିରଣ କୁମାର ପଟ୍ଟନାୟକ କହିଛନ୍ତି, ମୃତକଙ୍କ ଶରୀରରେ ବିଷକ୍ରିୟାର ପ୍ରମାଣ ମିଳିଛି। କିନ୍ତୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ କିମ୍ବା ଅନ୍ୟ କେହି ବିଷ ଦେଇଥିବା ଯୋଗୁ ଏପରି ହୋଇଛି ଜଣାପଡ଼ିନି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକାରର ବିଷ ଯୋଗୁ ମୃତ୍ୟୁ ଘଟିଛି ତାହା ଭିସେରା ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ଡା.ପଟ୍ଟନାୟକ କହିଛନ୍ତି।

ସେପଟେ ଆଜି ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ୍‌ ପାନ୍ଥନିବାସ ସାହି ବାନାମ୍ବରଙ୍କ ଘରେ ପହଞ୍ଚି ବଳକା ଥିବା ୯ ପଟ ରୁଟି ଓ ଆଳୁ-ଫୁଲକୋବି ତରକାରି ନମୁନା ସଂଗ୍ରହ କରିଛନ୍ତି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଏସ୍‌ଏଫ୍‌ଏଲ୍‌ ପଠାଯାଇଛି। ଯାଞ୍ଚ ପରେ ଘରୁ ଆଉ ସେମିତି କୌଣସି ସନ୍ଦେହଜନକ ସାମଗ୍ରୀ ମିଳି ନଥିବା ଜଣାପଡ଼ିଛି। ସେହିପରି ଫୁଡ୍‌ ଇନ୍‌ସ୍ପେକ୍ଟର୍‌ ମଧ୍ୟ ପହଞ୍ଚି ତଦନ୍ତ କରିଥିଲେ। ଖାଦ୍ୟ ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ସେଥିରେ କି ବିଷ ମିଶିଥିଲା କି ଅନ୍ୟ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ଗତକାଲି ବାନାମ୍ବରଙ୍କ ଇଂଜିନିୟରିଂ ପଢୁଥିବା ପୁଅ ସୌମ୍ୟରଂଜନଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ଓ ରମ୍ଭାର ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଝିଅ କମଳିନୀଙ୍କ ଛତ୍ରପୁର ମେଡିକାଲରେ ମୃତ୍ୟୁ ଘଟିଥିଲା। ଗତକାଲି ସଂଧ୍ୟାରେ ମାଆ କମଳିନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରୁ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରା ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର