ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ଣତା ସେତିକି ବଢ଼ିଚାଲିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ୧୪୭ ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେପି ୧୧୨, ବିଜେଡି ୭୨ ଓ କଂଗ୍ରେସ ୪୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଏଯାବତ୍‌ ୧୦ଟି ଜିଲ୍ଲାର ୨୪ଟି ଆସନରେ ତିନି ଦଳ ପକ୍ଷରୁ ପ୍ରାର୍ଥୀ ସ୍ବଷ୍ଟ କରାଯାଇଛି। ‌କିନ୍ତୁ ଆହୁରି ୨୦ଟି ଜିଲ୍ଲାର ୧୨୩ଟି ଆସନରେ ତିନି ଦଳର ପ୍ରାର୍ଥୀ ସ୍ପଷ୍ଟ ହୋଇପାରି ନାହିଁ।

Advertisment

ଲୋଇସିଂହା, ପାଟଣାଗଡ଼ ଓ ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଲୋଇସିଂହାରେ ବିଜେଡି ପକ୍ଷରୁ ନିହାର ବେହେରା, ବିଜେପି ଟିକେଟ୍‌ରେ ମୁକେଶ ମହାଲିଙ୍ଗ ଓ କଂଗ୍ରେସରୁ ଓମ୍‌ ପ୍ରକାଶ କୁମ୍ଭାର ପଡ଼ିଆକୁ ଓହ୍ଲାଇଛନ୍ତି। ପାଟଣାଗଡ଼ରେ ବିଜେଡିରୁ ସରୋଜ ମେହେର, ବିଜେପିରୁ କନକ ବର୍ଦ୍ଧନ ସିଂହଦେଓ ଓ କଂଗ୍ରେସରୁ ଅନିଲ ମେହେର ଲଢ଼ୁଛନ୍ତି। ବଲାଙ୍ଗୀରରେ କଳିକେଶ ସିଂହଦେଓ, ଗୋପାଳଜୀ ପାଣିଗ୍ରାହୀ ଓ ସମରେନ୍ଦ୍ର ମିଶ୍ର ଯଥାକ୍ରମେ ବିଜେଡି, ବିଜେପି ଓ କଂଗ୍ରେସ ଟିକେଟରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି।

ବିଜେଡି ବରଗଡ଼ରେ ଦେବେଶ ଆଚାର୍ଯ୍ୟ ଓ ବିଜେପୁରରେ ରିତା ସାହୁଙ୍କୁ ଟିକେଟ୍‌ ଦେଇଛି। ବରଗଡ଼ରେ ବିଜେପିରୁ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଓ ବିଜେପୁରରୁ ବିଜେପି ଟିକେଟ୍‌ରେ ସନତ କୁମାର ଗର୍ତିଆ ନିର୍ବାଚନ ଲଢ଼ୁଛନ୍ତି। କିଶୋର ଦଫାଦାରଙ୍କୁ କଂଗ୍ରେସ ବିଜେପୁର ପାଇଁ ଟିକେଟ୍‌ ଦେଇଥିବା ବେଳେ ନିପନ କୁମାର ଦାଶ ବରଗଡ଼ରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ଭଟଲିରେ ବିଜେଡିରୁ ସୁଶାନ୍ତ ସିଂ, ବିଜେପିରୁ ଇରାଶିଷ ଆଚାର୍ଯ୍ୟ ଓ କଂଗ୍ରେସରୁ ବ୍ରହ୍ମା ମହାକୁଡ଼ଙ୍କୁ ଦେଖିବାକୁ ମିଳିଛି।

କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ମହୀଧର ରଣା, ବିଜେପିରୁ କହ୍ଲେଇ ଚରଣ ଡାଙ୍ଗ ଓ କଂଗ୍ରେସରୁ ମନୋଜ କୁମାର ଆଚାର୍ଯ୍ୟ ଅବତୀର୍ଣ୍ଣ ହୋଇଛନ୍ତି। ବୌଦ୍ଧରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ବିଜେପିର ସରୋଜ ପ୍ରଧାନ ଓ କଂଗ୍ରେସରୁ ନବ କୁମାର ମିଶ୍ର ମୁକାବିଲା କରୁଛନ୍ତି।

ଗଂଜାମ ଜିଲ୍ଲା ଭଂଜନଗର ଆସନରେ ବିକ୍ରମ କେଶରୀ ଆରୁଖଙ୍କ ବପକ୍ଷରେ ବିଜେପିରୁ ପ୍ରଦ୍ୟୁମ୍ନ କୁମାର ନାୟକ ଓ କଂଗ୍ରେସରୁ ପ୍ରଶାନ୍ତ କୁମାର ବିଶୋୟୀ ଟକ୍କର ଦେବାକୁ ବାହାରିଥିବା ବେଳେ ପୋଲସରାରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିପକ୍ଷରେ ବିଜେପିରୁ ଗୋକୁଳା ନନ୍ଦ ମଲ୍ଲିକ ଓ କଂଗ୍ରେସରୁ ଅଗସ୍ତି ବରଦା ଓହ୍ଲାଇଛନ୍ତି। ‌କବିସୂର୍ଯ୍ୟନଗରରେ ବିଜେଡିର ଲତିକା ପ୍ରଧାନ, ବିଜେପିର ପ୍ରତାପ ଚନ୍ଦ୍ର ନାୟକ ଓ କଂଗ୍ରେସର ଚିରଂଜୀବୀ ବିଶୋୟୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବୀତା ହୋଇଛି। ସୋରଡ଼ାରେ ବିଜେପିରୁ ସଂଘମିତ୍ରା ସ୍ବାଇଁ, ବିଜେପିରୁ ନୀଳମଣି ବିଶୋୟୀ ଓ କଂଗ୍ରେସରୁ ହରିକୃଷ୍ଣ ରଥ ଅବତୀର୍ଣ୍ଣ ହୋଇଥିବା ବେଳେ ଚିକିଟିରେ ତିନି ଦଳ ଯଥାକ୍ରମେ ଶ୍ରୀରୂପ ଦେବ, ମନୋରଂଜନ ସାମନ୍ତରାୟ ଓ ରବୀନ୍ଦ୍ର ସାମନ୍ତରାୟଙ୍କୁ ଅବତୀର୍ଣ୍ଣ କରିଛି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼ ଓ ଭାବନୀପାଟଣାରେ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ସ୍ପଷ୍ଟ କରିଛନ୍ତି। ଲାଞ୍ଜିଗଡ଼ରେ ପ୍ରଦୀପ ଦିଶାରୀଙ୍କୁ ବିଜେଡି, ରମେଶ ଚନ୍ଦ୍ର ମାଝୀଙ୍କୁ ବିଜେପି ଓ ବଳଭଦ୍ର ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେଡି ପୁଣି ଥରେ ଜୁନାଗଡ଼ରେ ଟିକେଟ୍‌ ଦେଇଥିବା ବେଳେ ତାଙ୍କୁ ଏଠାରେ ବିଜେପିର ମନୋଜ କୁମାର ମେହେର ଓ କଂଗ୍ରେସର ତୁଲେଶ୍ବର ନାଏକ ମୁକାବିଲା କରୁଛନ୍ତି। ସେହିପରି ଧର୍ମଗଡ଼ରେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ ଓ ଭବାନୀପାଟଣାରୁ ଲତିକା ନାଏକ ଟିକେଟ୍‌ ହାତେଇଛନ୍ତି। ଧର୍ମଗଡ଼ରେ ସୁଧୀର ପାଟଯୋଶୀଙ୍କୁ ଓ ଭବାନୀପାଟଣାରେ ପ୍ରଦୀପ୍ତ କୁମାର ନାଏକଙ୍କୁ ବିଜେପି ପ୍ରାର୍ଥୀ କରିଛି। ରଶ୍ବିରେଖା ରାଉତ ଓ ସାଗର ଚରଣ ଦାସ ଯଥାକ୍ରମେ ଧର୍ମଗଡ଼ ଓ ଭାବନୀପାଟଣାରେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ଜି ଉଦୟଗିରିରେ ବିଜେଡିରୁ ସାଲୁଗା ପ୍ରଧାନ, ବିଜେପିରୁ ମାନଗୋବିନ୍ଦ ପ୍ରଧାନ ଓ କଂଗ୍ରେସରୁ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଅବତୀର୍ଣ୍ଣ ହୋଇଛନ୍ତି। କୋରାପୁଟରେ ବିଜେଡିରୁ ରଘୁରାମ ପୋଡ଼ାଲ, ବିଜେପିରୁ ରଘୁରାମ ମାଛ ଓ କଂଗ୍ରେସରୁ କୃଷ୍ଣଚନ୍ଦ୍ର କୁଲଦୀପ ନିର୍ବାଚନ ଲଢ଼ୁଥିବା ବେଳେ ମାଲକାନଗିରିରେ ବିଜେଡିରୁ ମାନସ ମାଡ଼କାମୀ, ବିଜେପିରୁ ନରସିଂହ ମାଡ଼କାମୀ ଓ କଂଗ୍ରେସରୁ ମାଳ ମାଢ଼ି ପଡ଼ିଆକୁ ଓହ୍ଲାଇଛନ୍ତି। ସେହିପରି ଉମରକୋଟରୁ ବିଜେଡି ଟିକେଟରେ ନବୀନ ନାୟକଙ୍କୁ ବିଜେପିର ନିତ୍ୟାନନ୍ଦ ଗଣ୍ଡ ଓ କଂଗ୍ରେସର ସନରାଜ ଗଣ୍ଡ ମୁକାବିଲା କରୁଛନ୍ତି। ନବରଂଗପୁରରେ ବିଜେଡିରୁ କୌଶଲ୍ୟା ପ୍ରଧାନୀ, ବିଜେପିରୁ ଗୌରୀଶଙ୍କର ମାଝୀ ଓ କଂଗ୍ରେସରୁ ଦିଲୀପ ପ୍ରଧାନୀ ନିର୍ବାଚନ ଲଢୁଛନ୍ତି।

ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆଙ୍କ ବିପକ୍ଷରେ କଳାହାଣ୍ଡି ସାଂସଦଙ୍କ ପୁଅ ତଥା ବିଜେପିର ଅଭିନନ୍ଦନ କୁମାର ପଣ୍ଡା ଓ ପିସିସି ସଭାପତି ଶତର ପଟ୍ଟନାୟକ ମୁକାବିଲା କରିଥିବା ବେଳେ ଗୁଣପୁରରେ ବିଜେଡିର ରଘୁନାଥ ଗମାଙ୍ଗୋଙ୍କ ସହିତ ବିଜେପିର ତ୍ରିନାଥ ଗମାଙ୍ଗୋ ଓ କଂଗ୍ରେସର ସତ୍ୟଜିତ ଗମାଙ୍ଗୋଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ।