ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏବେଠାରୁ କସରତ ଆରମ୍ଭ କରିଛନ୍ତି। ତିନି ଦଳର ନଜରରେ ରହିଛନ୍ତି ନୂତନ ଭୋଟର। ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇସାରିଲେଣି କିମ୍ବା ଜାନୁଆରି ପହିଲା ସୁଦ୍ଧା ସେମାନେ ଭୋଟଦାନ ପାଇଁ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ନିଜ ବ୍ୟାନରକୁ ନେବା ଲାଗି ନେତାମାନେ ଭରପୂର ଉଦ୍ୟମ ଚଳାଇଛନ୍ତି। ବିଜେଡି ଇତିମଧ୍ୟରେ ନିଜର ଛାତ୍ର ଓ ଯୁବ ସଙ୍ଗଠନକୁ ଏହି କାମରେ ଲଗାଇ ଦେଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କରିବା ସହ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ନିକଟରେ ସ୍ବତନ୍ତ୍ର କ୍ୟାମ୍ପ କରି ଭୋଟର ସଚେତନ କାର୍ଯ୍ୟକ୍ରମ ଜାରି ରଖିଛି। ବିଜେପି ଯୁବମୋର୍ଚ୍ଚା ମଧ୍ୟ ଉତ୍ତର ଓଡ଼ିଶାରୁ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଛାତ୍ର କଂଗ୍ରେସ କ୍ୟାମ୍ପସକୁ ଯାଇ ନୂତନ ଭୋଟରଙ୍କୁ ନାମ ପଞ୍ଜୀକରଣ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନିଜର ଅଭିଯାନ ଚଲାଇଛି। ଏଥିସହିତ ରାଜ୍ୟରେ ଏବେ କ୍ୟାମ୍ପସ୍ ରାଜନୀତି ନୂଆ ମୋଡ଼ ନେଇଛି।
ଏହି କ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଲକ୍ ଓ ମ୍ୟୁନିସିପାଲଟି ସଭାପତିଙ୍କ ବୈଠକରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ଲକ୍ସ୍ତରରେ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତି କ୍ୟାମ୍ପସରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ଡିସେମ୍ବର ୨୬ରେ ବିଜେଡିର ୨୬ ବର୍ଷ ପଦାର୍ପଣ ପରିପ୍ରେକ୍ଷୀରେ ୨୬ ହଜାର ରକ୍ତ ସଂଗ୍ରହ ପାଇଁ ଯୁବ ଓ ଛାତ୍ର କର୍ମୀଙ୍କୁ ଆହ୍ବାନ ଦିଆଯାଇଛି। ନୂତନ ଭୋଟର କିଭଳି ନିଜକୁ ଭୋଟର ତାଲିକାରେ ସାମିଲ କରାଇବେ ସେନେଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଦଳ କାର୍ଯ୍ୟକ୍ରମ ଜାରି ରଖିବ। ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ରଥ ଆଗକୁ ବଢ଼ୁଛି ଏବଂ ସେଥିରେ ସାମିଲ ହେବାକୁ ଯୁବଶକ୍ତି ଇଚ୍ଛା ପ୍ରକାଶ କରୁଛନ୍ତି।
ବିଜେପି ଯୁବମୋର୍ଚ୍ଚା ନୂତନ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ବାହାରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି। ମୟୂରଭଞ୍ଜ, ନୟାଗଡ଼, ବାଲେଶ୍ବର, ସୁନ୍ଦରଗଡ଼, ଅନୁଗୁଳ ପରି ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମ କରାଯାଇଛି। ଆଗକୁ ଏହାକୁ ସାରା ରାଜ୍ୟରେ ଅଧିକ ବ୍ୟାପକ କରିବାକୁ ଯୋଜନା ହୋଇଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ସରିବା ପୂର୍ବରୁ ଦଳ ଭୁବନେଶ୍ବରରେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛି। ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ ଯୁବପିଢ଼ି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶଧାରାକୁ ପ୍ରଶଂସା କରୁଛନ୍ତି। ସେମାନେ ଏବେ ବିଜେପି ରଥର ସାରଥୀ ସାଜିବାକୁ ପ୍ରସ୍ତୁତ ହେଉଛନ୍ତି।
ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ କହିଛନ୍ତି ଯେ କଂଗ୍ରେସ ସବୁବେଳେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ହିତ ପାଇଁ କାର୍ଯ୍ୟ କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ୟାମ୍ପସରୁ ଛାତ୍ରଛାତ୍ରୀଙ୍କ ଅଧିକାର ଯେଭଳି ଛଡ଼ାଇ ନେଇଛନ୍ତି ତାହା କିଭଳି ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ ସେଦିଗରେ କାର୍ଯ୍ୟକ୍ରମ ହେଉଛି। ନୂତନ ଭୋଟରଙ୍କୁ ଭୋଟଦାନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଯିବା ସହ ଭୋଟ ମାଧ୍ୟମରେ ଗଣତନ୍ତ୍ରର ଶକ୍ତି ଦେଖାଇବାକୁ ଦଳ ପରାମର୍ଶ ଦେଉଛି।