ଫୁଲବାଣୀ : ଚଳିତ ମାସ ଶେଷ ସୁଦ୍ଧା ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଶେଷ ହେବ। ତାପରେ ସମ୍ଭବତଃ ପ୍ରଥମେ ପୌର ନିର୍ବାଚନ ହେବ। ୨୦୨୨ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ନିମନ୍ତେ କନ୍ଧମାଳରେ ସବୁ ରାଜନୈତିକ ଦଳ ଶିବିରରେ ପ୍ରସ୍ତୁତି ଆରମ୍ଭ ସହ ତତ୍ପରତା ପ୍ରକାଶ ପାଇଲାଣି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ସବୁ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଫୁଲବାଣୀ ପୌର ପରିଷଦ ଓ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ, ପରିଷଦ ପାଇଁ ନିର୍ବାଚନ ହେବ। ଏଥିସହ ଆସନ୍ତା ଫେବ୍ରୁଆରିରେ କାର୍ଯ୍ୟକାଳ ଶେଷ ହେଉ ଥିବାରୁ ବାଲିଗୁଡ଼ା ବିଜ୍ଞାପିତ ପରିଷଦ ନିର୍ବାଚନ ହେବା ଏକରକମ ନିଶ୍ଚିତ। ଗତ ନିର୍ବାଚନରେ ଏହି ୩ଟି ଆସନରେ ବିଜେଡି କ୍ଷମତା ଦଖଲ କରିଥିଲା।
ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଫୁଲବାଣୀ ପୌର ପରିଷଦ ଗଠନ ହେବାର ୧୦ ବର୍ଷ ହେଲା। ଏହା ମଧ୍ୟରେ ୨ ଥର ନିର୍ବାଚନ ହୋଇଛି। ଏହି ଦୁଇଟି ଯାକ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଗତ ନିର୍ବାଚନରେ ୧୩ ଆସନରୁ କଂଗ୍ରେସ ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତା ଖୋଲି ପାରି ନଥିଲା। ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପୂର୍ବରୁ କଂଗ୍ରେସ ହାତରେ ଥିଲା। ହେଲେ ଗତ ନିର୍ବାଚନରେ ୧୩ ଆସନରୁ ବିଜେଡି ଏକାକୀ ୧୦ ଆସନ ପାଇ ପରିଷଦ ଗଠନ କରିଥିଲା। କଂଗ୍ରେସ ୨ ଓ ସ୍ବାଧୀନ ଗୋଟିଏ ଆସନ ପାଇଥିଲେ। ହେଲେ ବିଜେପି ଗୋଟିଏ ଆସନ ପାଇବାରେ ସକ୍ଷମ ହୋଇ ପାରି ନଥିଲା। ପ୍ରଥମ କରି ବାଲିଗୁଡ଼ା ଏନ୍ଏସି ହେଲା। ପ୍ରଥମ ନିର୍ବାଚନରେ ବିଜେଡି ୧୩ରୁ ୯ ଆସନ ପାଇ କ୍ଷମତା ଦଖଲ କରିଥିଲା। କଂଗ୍ରେସ ୩ଟି ଆସନ ପାଇ ସନ୍ତୁଷ୍ଟ ହୋଇଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନ ପାଇବାରେ ସକ୍ଷମ ହୋଇଥିଲା। ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା। କେବଳ ବାଲିଗୁଡ଼ା ପଞ୍ଚାୟତ ସମିତିକୁ କଂଗ୍ରେସ ହାତେଇ ନେଇଥିଲା। ବାକି ୧୧ ବ୍ଲକ୍କୁ ବିଜେଡି କବଜା କରି ନେଇଥିଲା। ଏଥି ସହ ଜିଲ୍ଲା ପରିଷଦକୁ ବି ବିଜେଡି କଂଗ୍ରେସ ଠାରୁ ଛଡ଼ାଇ ଆଣିଥିଲା।
/sambad/media/post_attachments/wp-content/uploads/2021/01/KANDHAMAL-SHIVERS.jpg)
ଏଥର ପୌର ହେଉ କି ପଞ୍ଚାୟତ ନିର୍ବାଚନ। ପୁଣି ଜୟଯାତ୍ରା ବଜାୟ ରଖିବାକୁ ବିଜେଡି ରଣନୀତି ପ୍ରସ୍ତୁତି ଚଳାଇଛି। ଜନସମ୍ପର୍କ କାର୍ଯ୍ୟକ୍ରମଠାରୁ ଜୀବନବିନ୍ଦୁ ମାଧ୍ୟମରେ ଲୋକ ସହ ଯୋଡ଼ି ହୋଇ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଉଦ୍ୟମ ଚଳାଇଛି। ଏଥର ପୌର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ। ସବୁଠି ବିଜେଡି ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ । ମୋଦୀଙ୍କ ଭାବମୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଦେଖି ଲୋକ ବିଜେପିକୁ ଆପଣାଇବେ ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି। ଏଥି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ସଂଗଠନ ସୁଦୃଢ଼ କରାଯାଉଛି ଏବଂ ରାଜ୍ୟ ପ୍ରଭାରୀ ବି ନିକଟରେ ଆସି କ୍ଷମତା ହାସଲ କରିବାର ମନ୍ତ୍ର ଶିଖାଇ ଦେଇ ଯାଇଛନ୍ତି ବୋଲି ସେ କହିଛନ୍ତି। ପୌର ନିର୍ବାଚନରେ ବିଜେଡି ଓ ବିଜେପିକୁ ଲୋକ ପ୍ରତ୍ୟାଖାନ କରିବେ। ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଛି। ନେତା ଓ କାର୍ଯ୍ୟକର୍ତ୍ତା ସରକାରୀ ଅର୍ଥକୁ ଲୁଟୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଲୋକଙ୍କୁ ବିଜେଡି ଓ ବିଜେପିର ଜନବିରୋଧୀ ନୀତି ସମ୍ପର୍କରେ ଅବଗତ କରାଯାଉଛି। ତେଣୁ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି। ହେଲେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ନିକଟତର ହେବା ଉଦ୍ୟମରେ ବିଜେଡି ଓ ବିଜେପି ଠାରୁ କଂଗ୍ରେସ ଟିକେ ପଛରେ ରହିଥିବା କୁହାଯାଉଛି। ଜୟଯାତ୍ରା ବଜାୟ ରଖିବାକୁ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ଏହାକୁ ରୋକ ଦେବାରେ ବିଜେପି ଓ କଂଗ୍ରେସ କେତେ ସଫଳ ହେଉଛନ୍ତି, ତାହା ଦେକିବାକୁ ବାକି ରହିଲା।