ତାଳଦଣ୍ଡା କେନାଲ ରାସ୍ତା ଆହୁରି ସମ୍ପ୍ରସାରିତ ହେବ: ମୁଖ୍ୟମନ୍ତ୍ରୀ

ତାଳଦଣ୍ଡାର ଦୁଇ ପାର୍ଶ୍ବରେ ତିନି ଥାକିଆ ରାସ୍ତା ଉଦ୍‌ଘାଟିତ

କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ସୋପାନ

ଭୁବନେଶ୍ୱର/କଟକ : ଏସ୍‌ସିବି ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଯୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତା ଆଜି ଉଦ୍‌ଘାଟିତ ‌ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ରାସ୍ତାକୁ ଲୋକାର୍ପଣ କରିଥିଲେ। ରେକର୍ଡ ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ଏହି ରାସ୍ତାରେ ୧୪ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ରାସ୍ତା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ୍ ସମସ୍ୟାରେ ସିଧା କଟକ ବଡ଼ ମେଡିକାଲରେ ପହଞ୍ଚିପାରିବେ।

ନୂଆ ରାସ୍ତାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ହଜାର ବର୍ଷର କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଜନଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଯାହା କି ଯାତାୟତରେ ଆସୁବିଧା ସୃଷ୍ଟି କରିଥାଏ। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ଜନସାଧାରଣଙ୍କ ମତାମତକୁ ଭିତ୍ତି କରି ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ଆଗାମୀ ଦିନରେ ଆହୁରି ସମ୍ପ୍ରସାରିତ କରାଯିବ। ଏଥିପାଇଁ ବିସ୍ଥାପିତ ହେଉଥିବା ଲୋକଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବେ ଥଇଥାନ କରାଯିବ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ତା’ର ଉଚ୍ଚକୋଟୀର ସେବା ପାଇଁ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ବହୁ ଲୋକ ଆସିଥାନ୍ତି। ତେଣୁ ଏହି ମହାନ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି। ଏ ଦିଗରେ ତାଳଦଣ୍ଡା କେନାଲର ନୂଆ ରାସ୍ତା ହେଉଛି ଶୁଭାରମ୍ଭ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କଟକବାସୀ ଯେପରି ତ୍ୟାଗ ଓ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କୋଭିଡ୍‌ ସମୟରେ ଦିନରାତି କାମ କରି ରାସ୍ତାକୁ ରେକର୍ଡ ସମୟରେ ଶେଷ କରିଥିବାରୁ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ସେ ଧନ୍ୟବାଦ ଜଣାଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ସାମିଲ ହୋଇଥିଲେ।

ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତାଳଦେଣ୍ଡା କେନାଲର ଲାଇନିଂ କାମ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବା ସହିତ ଏଥିରେ ବୋଟିଂ ଓ କ୍ରୀଡ଼ା ବ୍ୟବସ୍ଥାର ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ କଟକବାସୀ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସ୍ବାଗତ ଭାଷଣ ଦେଇଥିଲା ବେଳେ ସିଏମ୍‌ସି କମିସନର୍‌ ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌ ବାଲକ୍ରିଷ୍ଣନ୍, ଉନ୍ନୟନ କମିଶନର ସୁ‌େରଶ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଓ ପୂର୍ତ୍ତ ସଚିବ କ୍ରିଷନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କମଧ୍ୟରେ, କଟକରେ ଆର‌୍‌ଡିସି ଅନୀଲ ସାମଲ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ସା˚ସଦ ସୁବାସ ସି˚ହ, ରାଜଶ୍ରୀ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀର˚ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ରଂଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସ˚ପଦ ବିଭାଗର ପ୍ରମୁଖ ସଚିବ ଏବ˚ ପୂର୍ତ୍ତ ସଚିବ ପ୍ରମୁଖ ଭୁବନେଶ୍ବରରେ ଭିଡିଓ କନ୍‌ଫରେନ୍ସି˚ରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଜୋବ୍ରା ରିଂଗ୍‌ ରୋଡଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବର ଏହି ତିନି ଥାକିଆ ରାସ୍ତାର ଲମ୍ବ ଦେଢ଼ କିଲୋମିଟର ଓ ଚଉଡ଼ା ୧୫ ମିଟର୍‌। ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ୬୦୦ ପରିବାରକୁ ଥଇଥାନ କରାଯାଇଛି। ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର