ରାଉରକେଲା: ରାଉରକେଲା ଅବକାରୀ ପୁଲିସ ଆଜି ଦୁଇ ପୃଥକ୍‌ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ବିହାର ପଶ୍ଚିମ ଚମ୍ପାରନର ପ୍ରଦୀପ ନିଶାଦ(୨୩)ଙ୍କୁ ଗିରଫ କରିଛି। ସେହିଭଳି ଦେଶୀ ମଦ ଚୋରାଚାଲାଣ ବେଳେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ମାଙ୍ଗ୍ରି କୁଜୁର(୩୨) ଓ ଗୁଡ୍ଡୁ ସର୍ଦ୍ଦାର(୨୪)।
Advertisment
ଗଞ୍ଜେଇ ବେପାରି ପ୍ରଦୀପ ବଲାଙ୍ଗୀର ଅଞ୍ଚଳରୁ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କାର ୧୫ କେଜି ଗଞ୍ଜେଇ ଆଣି ରାଉରକେଲାରେ ପହଞ୍ଚିଥିଲା। ରାଉରକେଲାରୁ ଅନ୍ୟ ଏକ ଟ୍ରେନ୍‌ରେ ବିହାରକୁ ଚାଲାଣ କରିବାକୁ ଯୋଜନା କରିଥିଲା। ତେବେ ଟ୍ରେନ୍‌ ସାମାନ୍ୟ ବିଳମ୍ବରେ ଥିବାରୁ ଅଭିଯୁକ୍ତ ରେଳ ଷ୍ଟେସନ ସମ୍ମୁଖରେ ବୁଲାବୁଲି କରୁଥିଲା। ଏନେଇ ଅବକାରୀ ବିଭାଗ ସୂଚନା ପାଇ ଅତର୍କିତ ଚଢ଼ଉକରି ଅଭିଯୁକ୍ତକୁ କାବୁ କରିନେଇଥିଲା। ଅଭିଯୁକ୍ତ ପାଖରୁ ଗଞ୍ଜେଇ ଭର୍ତ୍ତି ବୋରା ଜବତ ହୋଇଥିଲା। ସେହିଭଳି ଅବକାରୀ ମୋବାଇଲ ସ୍କ୍ବାଡ୍‌ ବାଲୁଘାଟ ରୁପୁଟୋଲା ଅଞ୍ଚଳରେ ଚଢ଼ଉକରି ଦୁଇ ଦେଶୀ ମଦ ବେପାରିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପାଖରୁ ୧୨୦ ଲିଟର ଦେଶୀ ମଦ ଓ ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କୁଟି(ଓଡି-୧୪-ଏବି-୭୨୮୮ ଓ ଓଡି-୧୪-ଜେ-୫୬୯୨) ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଚଢ଼ଉରେ ମୋବାଇଲ ୟୁନିଟ୍‌ ସବଇନ୍ସପେକ୍ଟର ଅଜୟ ପ୍ରଧାନ, ଏଏସ୍‌ଆଇ ସୁନୀତା କେର୍କେଟା, ସପନ ସାହୁ, ସୂର୍ଯ୍ୟକାନ୍ତ ସ୍ବାଇଁ, ବାବୁଲ ସ୍ବାଇଁ, ଟି. ବାର୍ଲା ପ୍ରମୁଖ ସାମିଲ ଥିଲେ।